ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଜାଲି ଦସ୍ତଖତରେ ମହା ଠକେଇ! ଅଭିଯୁକ୍ତ ଗିରଫ

ଅକ୍ଷର ବ୍ୟୁରୋ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଜାଲି ଦସ୍ତଖତ କରି ଚାକିରି ନାଁରେ ଠକେଇ ଅଭିଯୋଗ। ଜଗନ୍ନାଥ ଟେମ୍ପୁଲ୍ ସ୍କ୍ୱାଡ୍‌ରେ ଚାକିରି ଦେବା ନାଁରେ ଫେକ୍ ନିଯୁକ୍ତିପତ୍ର ବଣ୍ଟନ ଘଟଣାକୁ ନେଇ ଏବେ ତନାଘନା ଚଳାଇଛି ପୁରୀ ପୁଲିସ। ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କ ଏତଲା ପରେ ମାମଲାରେ ଆକ୍ସନ୍‌ ମୋଡ୍‌କୁ ଆସିଛି ପୁଲିସ। ଏହି ଘଟଣାରେ ପୁଲିସ ବଳଙ୍ଗା ଅଞ୍ଚଳର ବିପ୍ରସେନ ଭୋଇ ନାମକ ଜଣେ ବ୍ୟକ୍ତିଙ୍କୁ ପ୍ରଥମେ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଏହି ଠକେଇ ପଛରେ ଜଣେ ନୁହେଁ, ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ରହିଥିବାରୁ ତଦନ୍ତକୁ ଆହୁରି ବ୍ୟାପକ କରିଛି ପୁଲିସ।

ବିପ୍ରସେନ ଭୋଇଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS)ର ଏକାଧିକ ଦଫା ଲାଗିଛି। ସେଗୁଡ଼ିକ ମଧ୍ୟରେ—

  • BNS ୩୧୯(୨): ଅନ୍ୟ ବ୍ୟକ୍ତିଙ୍କ ପରିଚୟ ବ୍ୟବହାର କରି ଠକେଇ କରିବା।
  • BNS ୩୧୮(୪): ଟଙ୍କା କିମ୍ବା ସମ୍ପତ୍ତି ସମ୍ପର୍କିତ ଠକେଇ।
  • BNS ୩୩୬(୩): ଡିଜିଟାଲ୍ ରେକର୍ଡରେ ହେରଫେର ସମ୍ପର୍କିତ ଅଭିଯୋଗ।
  • BNS ୩୪୦(୨): ଦସ୍ତାବିଜ୍‌ ଜାଲି ବୋଲି ଜାଣି ମଧ୍ୟ ତାହାକୁ ମନ୍ଦ ଉଦ୍ଦେଶ୍ୟରେ ବ୍ୟବହାର କରିବା।

ଶ୍ରୀମନ୍ଦିର ଭଳି ଧାର୍ମିକ ଅନୁଷ୍ଠାନ ସହ ଜଡ଼ିତ ଚାକିରି ଦେବା ନାଁରେ ଏଭଳି ଜାଲି ନିଯୁକ୍ତିପତ୍ର ପ୍ରସ୍ତୁତ ଓ ବଣ୍ଟନ କରାଯାଇଥିବା ଅଭିଯୋଗ ଘଟଣାର ଗମ୍ଭୀରତାକୁ ବଢ଼ାଇଛି। ବିଶେଷକରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନାମରେ ଜାଲି ଦସ୍ତଖତ କରାଯାଇଥିବା ଅଭିଯୋଗକୁ ନେଇ ଅଧିକ ଖୋଳତାଡ଼ କରୁଛି ପୁଲିସ। କେବଳ ଜଣେ ବ୍ୟକ୍ତି ଏହି କାରବାରରେ ସମ୍ପୃକ୍ତ ନୁହନ୍ତି, ବରଂ ଏକାଧିକ ବ୍ୟକ୍ତି ଏଥିରେ ଜଡ଼ିତ ଥାଇପାରନ୍ତି ବୋଲି ତଦନ୍ତକାରୀ ଟିମ୍‌ ଆକଳନ କରୁଛି। ଫେକ୍ ନିଯୁକ୍ତିପତ୍ର କିପରି ପ୍ରସ୍ତୁତ ହେଲା, କାହାକୁ ଦିଆଯାଇଥିଲା ଏବଂ ଏହା ପଛରେ ଆଉ କେଉଁମାନେ ରହିଛନ୍ତି ସେସବୁ ଦିଗରେ ତଦନ୍ତ ଚାଲିଛି।

ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କ ସୂଚନା ଅନୁଯାୟୀ, ଘଟଣାରେ ବ୍ୟବହୃତ ଦସ୍ତାବିଜ୍‌ ସମ୍ପୂର୍ଣ୍ଣ ଫେକ୍। ଘଟଣାର ତଦନ୍ତ ଏବେ ମଧ୍ୟ ଜାରି ରହିଛି। ତଦନ୍ତ ଚାଲୁଥିବାରୁ ଗୋପନୀୟତା ଦୃଷ୍ଟିରୁ ଏହି ସମୟରେ ଅନେକ ତଥ୍ୟ ଓ ପ୍ରମାଣ ସମ୍ପର୍କରେ ପ୍ରକାଶ କରିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି। ଜାଲି ଦସ୍ତଖତ, ଫେକ୍ ନିଯୁକ୍ତିପତ୍ର ଓ ଚାକିରି ନାଁରେ ଠକେଇ, ଶ୍ରୀମନ୍ଦିର ଟେମ୍ପୁଲ୍ ସ୍କ୍ୱାଡ୍‌ ନିଯୁକ୍ତି ଠକେଇ ମାମଲାରେ ଜଣେ ଗିରଫ ପରେ ଏବେ ପୁଲିସର ନଜର ଅନ୍ୟ ସମ୍ଭାବ୍ୟ ସହଯୋଗୀଙ୍କ ଉପରେ। ତଦନ୍ତ ଆଗକୁ ବଢ଼ିଲେ ଠକେଇର ପୂରା ନେଟୱର୍କ ସାମ୍ନାକୁ ଆସିବା ନେଇ ଆଶା।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial