ଚାଷୀଙ୍କଠାରୁ ୧୫ ହଜାର ଲାଞ୍ଚ: ଭିଜିଲାନ୍ସ ଜାଲରେ ମୁଖ୍ୟ କୃଷି ଅଧିକାରୀ

ଅକ୍ଷର ବ୍ୟୁରୋ: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଗଞ୍ଜାମ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ। ଜଣେ ଚାଷୀଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ଗଞ୍ଜାମ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବ୍ୟୋମକେଶ ମିଶ୍ରଙ୍କୁ ଧରି ଗିରଫ କରିଛି।

ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସବସିଡି ଟଙ୍କା ଦେବା ପାଇଁ ପୁରୁଷୋତ୍ତମପୁରର ହିତାଧିକାରୀ ସୁଶାନ୍ତ ପଣ୍ଡାଙ୍କଠାରୁ ଏହି ଲାଞ୍ଚ ଦାବି କରାଯାଇଥିବା ଅଭିଯୋଗ ହୋଇଥିଲା। ସୁଶାନ୍ତ ୨୦୨୩ ମସିହାରୁ ଏହି ଯୋଜନାରେ ଆବେଦନ କରିଥିଲେ। ତେବେ ତାଙ୍କ ଫାଇଲ୍ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ଟେବୁଲରେ ଅଟକି ରହିଥିଲା।

ଅଭିଯୋଗ ଅନୁସାରେ, ପ୍ରାୟ ଦୁଇ ମାସ ଧରି ଫାଇଲ୍ ପ୍ରକ୍ରିୟାକରଣ କରାଯାଇନଥିଲା। ସବସିଡି ଟଙ୍କା ପାଇବାକୁ ହେଲେ ୧୫ ହଜାର ଟଙ୍କା ଦେବାକୁ କୁହାଯିବା ସହ ସବସିଡିରୁ ମଧ୍ୟ କିଛି ଅଂଶ ଦେବାକୁ ହିତାଧିକାରୀଙ୍କୁ କୁହାଯାଇଥିବା ଅଭିଯୋଗ ରହିଛି। ଏନେଇ ସୁଶାନ୍ତ ପଣ୍ଡା ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ଯୋଜନାବଦ୍ଧ ଭାବେ ଜାଲ ବିଛାଇଥିଲା। ଆଜି ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ୟୋମକେଶ ମିଶ୍ରଙ୍କୁ ଧରିଥିଲା ଭିଜିଲାନ୍ସ। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହାପରେ ଆୟ ବହିର୍ଭୂତ ସମ୍ପତ୍ତି ଓ ଅନ୍ୟାନ୍ୟ ଦିଗର ଯାଞ୍ଚ ପାଇଁ ଭିଜିଲାନ୍ସ ପକ୍ଷରୁ ୩ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଘଟଣାରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ରହିଛି।ସବସିଡି ଆଶାରେ ଥିବା ଚାଷୀଙ୍କଠାରୁ ଲାଞ୍ଚ ଦାବି ଏବଂ ଲାଞ୍ଚ ନେବା ବେଳେ ସରକାରୀ ଅଧିକାରୀ ଧରାପଡ଼ିବା ଘଟଣା ଏବେ ଚର୍ଚ୍ଚାରେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial