ବାସନ ମାଜୁଥିବା ବେଳେ ଅଘଟଣ: ବିଦ୍ୟୁତ୍ ସଂସ୍ପର୍ଶରେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ

ଅକ୍ଷର ବ୍ୟୁରୋ: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ବାସନ ମାଜୁଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ଘଟଣା ପରେ ପରିବାର ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁସାରେ, କୁର୍ମାନୁର ପଞ୍ଚାୟତ ଅନ୍ତର୍ଗତ ଗୁରାଲୁର ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ୧୩ ବର୍ଷୀୟା ନାବାଳିକା ଧାନ ରୋଇବା ପାଇଁ ତାଙ୍କ ବଡ଼ବାପାଙ୍କ ଘରକୁ ଯାଇଥିଲେ। ସେଠାରେ ବାସନ ମାଜୁଥିବା ସମୟରେ ହଠାତ୍ ସେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ସ୍ଥାନୀୟ ସୂଚନା ଅନୁସାରେ, ଲୁହା ପୋଲରୁ ଏକ ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିଥିଲା। ତାରଟି ଚାର୍ଜ ହୋଇ ରହିଥିବାରୁ ଏହା ସଂସ୍ପର୍ଶରେ ଆସି ନାବାଳିକା ଗୁରୁତର ହୋଇପଡ଼ିଥିଲେ। ଘଟଣା ପରେ ପରିବାର ଲୋକେ ତୁରନ୍ତ ନାବାଳିକାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନେଇଯାଇଥିଲେ। ତେବେ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଅଘଟଣ ପରେ ଗୁରାଲୁର ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଲୁହା ପୋଲରୁ ବିଦ୍ୟୁତ୍ ତାର କିପରି ଛିଣ୍ଡିଲା ଏବଂ ତାରଟି କାହିଁକି ଚାର୍ଜ ହୋଇ ରହିଥିଲା, ତାହାର ଯାଞ୍ଚ ଆବଶ୍ୟକତା ରହିଛି। ଏଭଳି ଅଘଟଣର ପୁନରାବୃତ୍ତି ରୋକିବା ପାଇଁ ବିଦ୍ୟୁତ୍ ବିଭାଗ ପକ୍ଷରୁ ତୁରନ୍ତ ସୁରକ୍ଷାମୂଳକ ପଦକ୍ଷେପ ନେବାକୁ ଦାବି ହୋଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial