ମାଡ଼ର ଦୁଇ ଦିନ ପରେ ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗରେ ତଦନ୍ତ

ଅକ୍ଷର ବ୍ୟୁରୋ: ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ରାସ୍ତାରେ ଚାଲି ଯାଉଥିବା ବେଳେ ଯୁବକଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ଘଟଣାର ଦୁଇ ଦିନ ପରେ ତାଙ୍କ ମୃତ୍ୟୁ ହୋଇଛି। ଏହାପରେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆସିଛି।

ମୃତ ଯୁବକ ହେଉଛନ୍ତି ବଡ଼ପୋଡ଼ାଗୁଡ଼ା ଗାଁର ଲଳିତ ପୂଝାରୀ। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ବୁଧବାର ଲଳିତ ଗାଁ ରାସ୍ତାରେ ଚାଲି ଚାଲି ଯାଉଥିଲେ। ଏହି ସମୟରେ ସେହି ଗାଁର ସୁଶାନ୍ତ ନାଏକ ତାଙ୍କୁ ଧକ୍କା ଦେବା ସହ ଠେଙ୍ଗାରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପରିବାର ଲୋକଙ୍କ କହିବା ଅନୁସାରେ, ମାଡ଼ ପରେ ଲଳିତଙ୍କ ଅବସ୍ଥା ଖରାପ ହୋଇଥିଲା। ତେବେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି। ମାଡ଼ ଯୋଗୁଁ ହିଁ ଲଳିତଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ପରିବାର ପକ୍ଷରୁ ଆମପାଣି ଥାନାରେ ଅଭିଯୋଗ କରାଯାଇଛି।

ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଖବର ପାଇ ଆମପାଣି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲଳିତଙ୍କ ମୃତଦେହ ଜବତ କରିଛି। ଅଭିଯୋଗରେ ନାଁ ଥିବା ସୁଶାନ୍ତ ନାଏକଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି। ତେବେ ଲଳିତଙ୍କ ମୃତ୍ୟୁ ପ୍ରକୃତରେ ମାଡ଼ ଯୋଗୁଁ ହୋଇଛି କି, ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି ତାହା ଏବେ ସ୍ପଷ୍ଟ ହୋଇନାହିଁ। ବ୍ୟବଚ୍ଛେଦ ରିପୋର୍ଟ ଏବଂ ପୁଲିସ ତଦନ୍ତ ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। ଘଟଣାକୁ ନେଇ ଗାଁରେ ଉତ୍ତେଜନା ଓ ଚର୍ଚ୍ଚା ଜାରି ରହିଥିବା ବେଳେ ପୁଲିସ ତଦନ୍ତ ଉପରେ ସମସ୍ତଙ୍କ ନଜର ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial