ବର୍ଷା ରାତିରେ ଭୁଶୁଡ଼ିଲା ମାଟି କାନ୍ଥ, ଚାଲିଗଲା ଆଇ-ନାତିଙ୍କ ଜୀବନ

ବାଲେଶ୍ୱର: ଲଗାଣ ବର୍ଷା ଆଣିଲା ଦୁଃଖର କାହାଣୀ। ରାତିରେ ଘର ଭିତରେ ଶୋଇଥିବା ବେଳେ ଭୁଶୁଡ଼ି ପଡ଼ିଲା ମାଟି କାନ୍ଥ। କାନ୍ଥ ତଳେ ଚାପି ହୋଇ ଆଇ ଓ ନାତିଙ୍କ ମୃତ୍ୟୁ ହୋଇଥିବା ବେଳେ ନାତୁଣୀ ଗୁରୁତର ଆହତ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ କପାସୁଦା ଗାଁରେ ଘଟିଛି ଏହି ମର୍ମନ୍ତୁଦ ଅଘଟଣ।

ସୂଚନା ଅନୁସାରେ, ଲଗାଣ ବର୍ଷା ସାଙ୍ଗକୁ ଅନେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ଯୋଗୁଁ ଘରର ମାଟି କାନ୍ଥ ଦୁର୍ବଳ ହୋଇଯାଇଥିଲା। ଗତ ରାତିରେ ପରିବାର ଲୋକେ ଘର ଭିତରେ ଶୋଇଥିବା ସମୟରେ ହଠାତ୍ ମାଟି କାନ୍ଥଟି ଓଲଟି ପଡ଼ିଥିଲା। ଏଥିରେ ଚାପି ହୋଇ ରାଧିକା ଜେନା ଓ ତାଙ୍କ ନାତି ଜ୍ୟୋତି ପ୍ରକାଶ ସ୍ୱାଇଁଙ୍କ ମୃତ୍ୟୁ ଘଟିଛି। ଏହି ଅଘଟଣରେ ଜ୍ୟୋତି ପ୍ରକାଶଙ୍କ ଭଉଣୀ ସ୍ମୃତି ରେଖା ସ୍ୱାଇଁ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଘଟଣା ପରେ ଆଖପାଖର ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମାଟି ତଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଗୁରୁତର ସ୍ମୃତି ରେଖାଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଛି। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି | ଏକାସାଙ୍ଗରେ ପରିବାରର ଦୁଇ ଜଣଙ୍କୁ ହରାଇବା ପରେ ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକେ। ଏହି ଦୁଃଖଦ ଘଟଣା ପରେ ସମଗ୍ର କପାସୁଦା ଗାଁରେ ଶୋକର ଛାୟା ଖେଳିଯାଇଛି। ଲଗାଣ ବର୍ଷା ସମୟରେ ଦୁର୍ବଳ ମାଟି ଘରେ ରହୁଥିବା ପରିବାରଙ୍କ ସୁରକ୍ଷାକୁ ନେଇ ମଧ୍ୟ ଏହି ଘଟଣା ପୁଣିଥରେ ଚିନ୍ତା ବଢ଼ାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial