ଅକ୍ଷର ବ୍ୟୁରୋ: ଓଡ଼ିଶା ପାଇଁ ପୁଣି ବଡ଼ ବର୍ଷା ଆଶଙ୍କା। ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ଗଠନ ହେବାକୁ ଯାଉଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଜିଠାରୁ ରାଜ୍ୟର ଅନେକ ଅଞ୍ଚଳରେ ବର୍ଷାର ପରିମାଣ ବଢ଼ିବା ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଆଜି ପ୍ରବଳ ବର୍ଷା ଦୃଷ୍ଟିରୁ ମୟୂରଭଞ୍ଜ ଓ ବାଲେଶ୍ୱରକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଦୁଇ ଜିଲ୍ଲାରେ ଭୀଷଣ ବର୍ଷା ହେବାର ଆଶଙ୍କା ଥିବାରୁ ପ୍ରଶାସନକୁ ସତର୍କ ରହିବାକୁ ପଡ଼ିବ।
ସେହିପରି କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଭଦ୍ରକ, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଅନ୍ୟ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ରହିଛି। ଏହା ପୂର୍ବରୁ କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂର ସୂଚନା ମଧ୍ୟ ଦିଆଯାଇଥିଲା। ଲଘୁଚାପ ଗଠନ ପରେ ବର୍ଷାର ତୀବ୍ରତା ଓ ପ୍ରଭାବିତ ଅଞ୍ଚଳ ନେଇ ଆହୁରି ସ୍ପଷ୍ଟ ଚିତ୍ର ମିଳିବ। ବର୍ଷା ସହ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ତେଣୁ ସମୁଦ୍ରକୂଳବର୍ତ୍ତୀ ଅଞ୍ଚଳ ସମେତ ବର୍ଷା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଲୋକଙ୍କୁ ସତର୍କ ରହିବା ଆବଶ୍ୟକ। ବଙ୍ଗୋପସାଗରରେ ଗଠନ ହେବାକୁ ଥିବା ଲଘୁଚାପର ଗତିପଥ ଓ ତୀବ୍ରତା ଉପରେ ପାଣିପାଗ ବିଭାଗ ନଜର ରଖିଛି। ଏହାର ପରବର୍ତ୍ତୀ ଗତିବିଧି ଅନୁସାରେ ରାଜ୍ୟରେ ବର୍ଷା ଓ ପବନର ପ୍ରଭାବ ନେଇ ନୂଆ ସତର୍କତା ଜାରି ହୋଇପାରେ।














Leave a Reply