ଅକ୍ଷର ବ୍ୟୁରୋ: ରାଜଧାନୀ ଉପକଣ୍ଠରେ ବର୍ଷ ବର୍ଷ ଧରି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ୫୭ ପରିବାର। ବାଲିଅନ୍ତା ତହସିଲ ଅଧୀନ ସାଳେଶ୍ୱର ମୌଜାର ସୋମ ବିହାର କଲୋନିରେ ୨୦୦୯ ମସିହାରୁ ଲୋକେ ବସବାସ କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇପାରିନି କଂକ୍ରିଟ ରାସ୍ତା, ଡ୍ରେନେଜ୍, ପାର୍କ ଓ ଉନ୍ନତ ପରିମଳ ବ୍ୟବସ୍ଥା। ଫଳରେ ସାମାନ୍ୟ ବର୍ଷା ହେଲେ ହିଁ କଲୋନିର ଚିତ୍ର ପାଲଟିଯାଉଛି।
ଅଭିଯୋଗ ଅନୁସାରେ, ପ୍ଲଟ୍ ବିକ୍ରି ସମୟରେ ବିଲ୍ଡର ପକ୍ଷରୁ କଲୋନିରେ ଆବଶ୍ୟକ ସମସ୍ତ ମୌଳିକ ସୁବିଧା ଯୋଗାଇଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେହି ପ୍ରତିଶ୍ରୁତି ପୂରଣ ହୋଇନଥିବା ଅଭିଯୋଗ ହୋଇଛି। କଲୋନିବାସୀଙ୍କ ସମସ୍ୟା ଦୂର ପାଇଁ ୨୦୨୪ରେ ପଞ୍ଚାୟତ ଜରିଆରେ କଂକ୍ରିଟ ରାସ୍ତା ଓ ଡ୍ରେନ୍ ନିର୍ମାଣ ନିମନ୍ତେ ୧୨ ଲକ୍ଷ ୭୩ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ହେଲେ ଅଭିଯୋଗ ଅନୁସାରେ, ବ୍ଲକ୍ ଓ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏହି ଅନୁଦାନ ଖର୍ଚ୍ଚ ହୋଇନପାରି ଶେଷରେ ଫେରିଯାଇଛି। ଏହାକୁ ନେଇ ଏବେ କଲୋନିବାସୀଙ୍କ ଅସନ୍ତୋଷ ତୀବ୍ର ହୋଇଛି। କଲୋନିରେ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ବର୍ଷା ହେଲେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହୁଛି। ଏପରିକି ବର୍ଷାଜଳ ଘର ଭିତରକୁ ପଶିଯାଉଥିବା ଅଭିଯୋଗ ହୋଇଛି। ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ଦୀର୍ଘ ସମୟ ଧରି ଅପରିଷ୍କାର ପରିବେଶ ସୃଷ୍ଟି ହେଉଛି।
କଲୋନିବାସୀଙ୍କ ଅଭିଯୋଗ ଅନୁସାରେ, ଏହି କଦର୍ଯ୍ୟ ପରିବେଶ ଯୋଗୁଁ ଝାଡ଼ାବାନ୍ତି, ମ୍ୟାଲେରିଆ ଓ ଡେଙ୍ଗୁ ଭଳି ରୋଗର ଆଶଙ୍କା ବଢ଼ିଛି। ଏହାସହ ସଂକୀର୍ଣ୍ଣ ରାସ୍ତା ଯୋଗୁଁ ନିୟମିତ ଦୁର୍ଘଟଣା ଘଟୁଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି, ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ସତ୍ତ୍ୱେ ପ୍ରାୟ ୩ ବର୍ଷ ଧରି ଜିଲ୍ଲା ପ୍ରଶାସନ ପକ୍ଷରୁ ଠୋସ୍ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରିଛନ୍ତି କଲୋନିବାସୀ। ଶେଷରେ ନିକଟରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ନିଜ ସମସ୍ୟା ଜଣାଇଛନ୍ତି। ଏବେ ପ୍ରଶ୍ନ ଉଠୁଛି, ମଞ୍ଜୁର ହୋଇଥିବା ଅର୍ଥ ଫେରିଗଲା କାହିଁକି? ୫୭ ପରିବାରଙ୍କ ମୌଳିକ ସୁବିଧା କେବେ ପୂରଣ ହେବ? ବର୍ଷ ବର୍ଷ ଧରି ଅଭିଯୋଗ ପରେ ବି ସମସ୍ୟାର ସମାଧାନ ନହେବାକୁ ନେଇ କଲୋନିବାସୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିଛି। ତୁରନ୍ତ ସମସ୍ୟାର ସମାଧାନ ନହେଲେ ବିଲ୍ଡରଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ସୋମ ବିହାର କଲୋନିବାସୀ।














Leave a Reply