ହାଇଡ୍ରା ଚକା ତଳେ ଜୀବନ ଗଲା: ୫୫ ବର୍ଷୀୟ ବ୍ୟକ୍ତି ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଅକ୍ଷର ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅଧୀନ ପିପଲପଦର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ହାଇଡ୍ରା ଗାଡ଼ି ଚକା ତଳେ ଚାପି ହୋଇ ଜଣେ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ମୃତକ ହେଲେ ପିପଲପଦର ଗ୍ରାମର ୫୫ ବର୍ଷୀୟ ମକର ନାଏକ। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ସାଢ଼େ ୮ଟା ସମୟରେ ଏକ ହାଇଡ୍ରା ଗାଡ଼ି ଭବାନୀପାଟଣାରୁ ମଦନପୁର-ରାମପୁର ଅଭିମୁଖେ ଯାଉଥିଲା। ଏହି ସମୟରେ ଭବାନୀପାଟଣା-ଭୁବନେଶ୍ୱର ରାଜ୍ୟ ରାଜପଥ-୨୬ର ପିପଲପଦର ନିକଟରେ ମକରଙ୍କୁ ଗାଡ଼ିଟି ଧକ୍କା ଦେଇଥିବା ଜଣାପଡ଼ିଛି। ହାଇଡ୍ରା ଚକା ତଳେ ଚାପି ହୋଇ ମକରଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ପିପଲପଦର ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବି କରି ସ୍ଥାନୀୟ ଲୋକେ ରାଜପଥ ଅବରୋଧ କରିଛନ୍ତି। ଫଳରେ SH-26ରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଖବର ପାଇ ନର୍ଲା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି। ଦୁର୍ଘଟଣାର କାରଣ ଏବଂ ଘଟଣାର ଅନ୍ୟାନ୍ୟ ପାର୍ଶ୍ୱ ନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial