ଅକ୍ଷର ବ୍ୟୁରୋ: ବ୍ରାହ୍ମଣୀ ନଦୀର ଦ୍ୱିତୀୟ ବନ୍ୟାରେ ଜଳବନ୍ଦି କେନ୍ଦ୍ରାପଡ଼ା। ହଠାତ୍ ବନ୍ୟାଜଳ ମାଡ଼ି ଆସିବାରୁ କୁଳଶାହି ଆବାସିକ ସ୍କୁଲରେ ଫସି ରହିଥିବା ୩୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଉଦ୍ଧାର ପ୍ରକ୍ରିୟା ଆଜି ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ ଲଗାତାର ୪ ଦିନ ଧରି ସେଠାରେ ଫସି ରହିଥିବା ବେଳେ ପ୍ରଶାସନ ପକ୍ଷରୁ ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଉଥିଲା। ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ନେଇ ପୂର୍ବରୁ ନିଷ୍ପତ୍ତି ହୋଇନଥିବା ବେଳେ ଆଜି ପ୍ରଶାସନ ପକ୍ଷରୁ ରେସ୍କ୍ୟୁ ପାଇଁ ଚୂଡ଼ାନ୍ତ ପଦକ୍ଷେପ ନିଆଯାଇଛି। ଏଥିପାଇଁ ୨୫ ଜଣିଆ ଓଡ୍ରାଫ୍ ଟିମ୍କୁ ୩ଟି ୟୁନିଟ୍ରେ ବିଭକ୍ତ କରାଯାଇଛି। ଉଦ୍ଧାର କାର୍ଯ୍ୟରେ ୩ଟି ପାୱାର ବୋଟ୍ ସାମିଲ ହୋଇଛି।
କୁଳଶାହି ଆବାସିକ ସ୍କୁଲକୁ ଚାରିଆଡ଼ୁ ବନ୍ୟାଜଳ ଘେରି ରହିଥିବାରୁ ଛାତ୍ରଛାତ୍ରୀମାନେ ବାହାରକୁ ଆସିପାରୁନଥିଲେ। ପ୍ରଶାସନ ପକ୍ଷରୁ ନିୟମିତ ଭାବେ ଖାଦ୍ୟ, ପାନୀୟ ଓ ଆବଶ୍ୟକ ସାମଗ୍ରୀ ପହଞ୍ଚାଯାଉଥିଲା। ଏବେ ପାଣି ପରିସ୍ଥିତି ଓ ଉଦ୍ଧାର ସମ୍ଭାବନାକୁ ଦେଖି ପିଲାମାନଙ୍କୁ ସୁରକ୍ଷିତ ଭାବେ ବାହାର କରିବାକୁ ଅଭିଯାନ ଚାଲିଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ବ୍ରାହ୍ମଣୀ ନଦୀର ଦ୍ୱିତୀୟ ବନ୍ୟା ଆସିଥିବାରୁ ଜିଲ୍ଲାର ୬ଟି ବ୍ଲକ୍ର ୬୬ଟି ପଞ୍ଚାୟତ ଅଧୀନ ୧୫୧ଟି ଗାଁ ପ୍ରଭାବିତ ହୋଇଛି। ବିଶେଷକରି ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧୧ଟି ୱାର୍ଡ ପ୍ରଭାବିତ ହୋଇଥିବାବେଳେ ମୋଟ ୨ ଲକ୍ଷ ୨୩ ହଜାର ୫୧୯ ଜଣ ପ୍ରଭାବିତ ହୋଇଥିବା ସୂଚନା ମିଳିଛି।
ବନ୍ୟା ଯୋଗୁଁ ପାଖାପାଖି ୧୪ ହଜାର ୨୬୮ ହେକ୍ଟର ଫସଲ କ୍ଷତିଗ୍ରସ୍ତ ହୋଇଛି। ପଟ୍ଟାମୁଣ୍ଡାଇ, ରାଜକନିକା, ଆଳି ଓ ରାଜନଗର ବ୍ଲକ୍ର ବିଭିନ୍ନ ଅଞ୍ଚଳରେ ହଜାର ହଜାର ଲୋକ ଏବେବି ଜଳବନ୍ଦି ହୋଇ ରହିଛନ୍ତି। ବନ୍ୟା ପ୍ରଭାବିତ ଲୋକମାନଙ୍କୁ ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ୧୮ଟି ଆଶ୍ରୟ କେନ୍ଦ୍ରରେ ୩ ହଜାର ୩୫୦ ଜଣଙ୍କୁ ରଖାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେଠାରେ ସୁଖିଲା ଖାଦ୍ୟ ଓ ଆବଶ୍ୟକ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଉଛି। ସ୍ୱାସ୍ଥ୍ୟସେବା ପାଇଁ ୧୬ଟି ମେଡିକାଲ୍ ଟିମ୍ ଏବଂ ପ୍ରାଣୀସମ୍ପଦର ଚିକିତ୍ସା ଓ ଯତ୍ନ ପାଇଁ ୫ଟି ଟିମ୍ ନିୟୋଜିତ ହୋଇଛନ୍ତି।
ବନ୍ୟା ପ୍ରଭାବିତଙ୍କ ପାଖରେ ରିଲିଫ୍ ଓ ଉଦ୍ଧାର ସାମଗ୍ରୀ ପହଞ୍ଚାଇବା ପାଇଁ ଜିଲ୍ଲାରେ ୬ଟି ପାୱାର ବୋଟ୍, ୧୧୭ଟି ଦେଶୀ ଡଙ୍ଗା ଏବଂ ୧୦ଟି ଯାନ୍ତ୍ରିକ ଦେଶୀ ଡଙ୍ଗା ନିୟୋଜିତ ହୋଇଛି। ତଥାପି ଅନେକ ଦୁର୍ଗମ ଓ ଜଳବନ୍ଦି ଅଞ୍ଚଳରେ ପ୍ରଶାସନ ଏବେବି ପହଞ୍ଚି ପାରିନଥିବା ଅଭିଯୋଗ ରହିଛି। ବନ୍ୟା ପରିସ୍ଥିତି ଗୁରୁତର ଥିବାରୁ ଜିଲ୍ଲାର ଅନେକ ଅଞ୍ଚଳରେ ଲୋକେ ଦୀର୍ଘ ସମୟ ଧରି ଜଳବନ୍ଦି ହୋଇ ରହିଛନ୍ତି। ପ୍ରଶାସନ ପକ୍ଷରୁ ରିଲିଫ୍, ଖାଦ୍ୟ ଓ ଉଦ୍ଧାର କାର୍ଯ୍ୟ ଚାଲିଥିବା ସତ୍ତ୍ୱେ ହଜାର ହଜାର ବିପନ୍ନଙ୍କ ପାଖରେ ଏବେବି ସମ୍ପୂର୍ଣ୍ଣ ସହାୟତା ପହଞ୍ଚିନଥିବା ଅଭିଯୋଗ ହୋଇଛି। ଏବେ ସମସ୍ତଙ୍କ ନଜର କୁଳଶାହି ଆବାସିକ ସ୍କୁଲରେ ଫସିଥିବା ୩୦୦ରୁ ଅଧିକ ଛାତ୍ରଛାତ୍ରୀ କେତେ ଶୀଘ୍ର ସୁରକ୍ଷିତ ଭାବେ ଉଦ୍ଧାର ହେଉଛନ୍ତି ଏବଂ ଜିଲ୍ଲାର ସମସ୍ତ ଜଳବନ୍ଦି ଅଞ୍ଚଳରେ ରିଲିଫ୍ କେବେ ପହଞ୍ଚୁଛି, ତା’ଉପରେ।












Leave a Reply