ଲଗାଣ ବର୍ଷାରେ ପାଣିରେ ବୁଡ଼ିଲା ଅସ୍ତରଙ୍ଗ! ୨୦୦ ଫୁଟ୍‌ ରାସ୍ତା ଜଳମଗ୍ନ, ଯାତାୟାତ ଠପ୍‌

ଅକ୍ଷର ବ୍ୟୁରୋ: ତୁହାକୁ ତୁହା ବର୍ଷାରେ ବେହାଲ ପୁରୀ ଜିଲ୍ଲା ଅସ୍ତରଙ୍ଗ । ଲଗାଣ ବର୍ଷା ଯୋଗୁଁ ଅସ୍ତରଙ୍ଗ ବ୍ଲକର ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ଜମିଥିବା ବେଳେ ନୂଆଗଡ଼ ପଞ୍ଚାୟତର ୮ ନମ୍ବର ୱାର୍ଡର ଏକ ପ୍ରମୁଖ ରାସ୍ତା ଏବେ ଜଳମଗ୍ନ । ରାସ୍ତା ଉପରେ ପାଣି ଚାଲୁଥିବାରୁ ସ୍ଥାନୀୟ ଲୋକଙ୍କ ଯାତାୟାତ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଲଗାଣ ବର୍ଷା ଯୋଗୁଁ ପ୍ରାୟ ୨୦୦ ଫୁଟ୍‌ ଅଞ୍ଚଳରେ ପାଣି ଜମି ରହିଛି । ରାସ୍ତା ଉପରେ ପାଣି ଚାଲୁଥିବାରୁ ଲୋକେ ଯାତାୟାତ କରିବାରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ଦୁଇଚକିଆ ଯାନ ଓ ଛୋଟ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି । ପାଣି ଜମି ରହିଥିବାରୁ ରାସ୍ତାର ଅବସ୍ଥା ସ୍ପଷ୍ଟ ଭାବେ ଜଣାପଡ଼ୁନଥିବାରୁ ଦୁର୍ଘଟଣା ଆଶଙ୍କା ମଧ୍ୟ ବଢ଼ିଛି । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଲଗାଣ ବର୍ଷା ହେଲେ ପ୍ରତିଥର ଏହି ଅଞ୍ଚଳରେ ପାଣି ଜମିବା ସମସ୍ୟା ଦେଖାଦେଉଛି । ଠିକ୍‌ ଭାବେ ଜଳ ନିଷ୍କାସନ ହୋଇନପାରିବାରୁ ବର୍ଷା ପାଣି ରାସ୍ତା ଉପରେ ଜମି ରହୁଛି । ଫଳରେ ଦୈନନ୍ଦିନ ଯାତାୟାତଠାରୁ ଆରମ୍ଭ କରି ସ୍ଥାନୀୟ ଲୋକଙ୍କ ସାଧାରଣ ଜୀବନଯାପନ ମଧ୍ୟ ପ୍ରଭାବିତ ହେଉଛି । ପ୍ରତିବର୍ଷ ବର୍ଷାଦିନେ ସମାନ ସମସ୍ୟା ଦେଖାଦେଉଥିବାରୁ ସ୍ଥାୟୀ ସମାଧାନ ଦାବି ଜୋର ଧରିଛି । ରାସ୍ତା ଉପରେ ଜମିଥିବା ପାଣିକୁ ତୁରନ୍ତ ନିଷ୍କାସନ କରିବା ସହ ଭବିଷ୍ୟତ ପାଇଁ ସ୍ଥାୟୀ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ବର୍ଷା ଜାରି ରହିଲେ ସ୍ଥିତି ଆହୁରି ଗମ୍ଭୀର ହେବାର ଆଶଙ୍କା ଥିବାରୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial