ଅକ୍ଷର ବ୍ୟୁରୋ: ଭଉଣୀ ସୁଭଦ୍ରାଙ୍କ ହାତରୁ ବଡ଼ଭାଇ ବଳଦେବଜୀଉଙ୍କ ପାଖକୁ ପହଞ୍ଚିଲା ପାଟ ରାଖି । ଶ୍ରୀକ୍ଷେତ୍ର ପୁରୀରୁ ପାଟ ରାଖି ଆସି କେନ୍ଦ୍ରାପଡ଼ାର ବାବା ବଳଦେବଜୀଉଙ୍କ ମନ୍ଦିରରେ ପହଞ୍ଚିଛି । ଭାଇ-ଭଉଣୀଙ୍କ ଏହି ପବିତ୍ର ସମ୍ପର୍କର ପ୍ରତୀକ ରାଖିକୁ ନେଇ ମନ୍ଦିରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ମା’ ସୁଭଦ୍ରାଙ୍କ ମୁଖ୍ୟ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସମହାପାତ୍ରଙ୍କ ନେତୃତ୍ୱରେ ଶ୍ରୀଜଗନ୍ନାଥ ପାଟସେବା ସଂଘର ଏକ ପ୍ରତିନିଧିମଣ୍ଡଳୀ ପାଟ ରାଖି ନେଇ କେନ୍ଦ୍ରାପଡ଼ାରେ ପହଞ୍ଚିଥିଲେ । ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତିନିଧିମଣ୍ଡଳୀଙ୍କୁ ସ୍ୱାଗତ କରାଯାଇଥିଲା । ମନ୍ଦିରର ସେବାୟତମାନେ ପ୍ରତିନିଧିମଣ୍ଡଳୀଙ୍କୁ ବାବା ବଳଦେବଜୀଉଙ୍କ ଦର୍ଶନ କରାଇଥିଲେ । ପରେ ପାଟ ରାଖିକୁ ବଡ଼ଠାକୁରଙ୍କ ସ୍ପର୍ଶ କରାଯାଇ ଭଣ୍ଡାର ଘରେ ସୁରକ୍ଷିତ ଭାବେ ରଖାଯାଇଥିଲା ।
ଶ୍ରୀକ୍ଷେତ୍ରରୁ କେନ୍ଦ୍ରାପଡ଼ାକୁ ପାଟ ରାଖି ଆସିବାର ପରମ୍ପରା ବହୁ ପୁରୁଣା । କେନ୍ଦ୍ରାପଡ଼ାରେ ବଡ଼ଭାଇ ବଳଦେବଜୀଉ ବିରାଜମାନ କରୁଥିବାରୁ ଭଉଣୀ ସୁଭଦ୍ରା ପ୍ରତିବର୍ଷ ବଡ଼ଭାଇଙ୍କ ପାଇଁ ପାଟ ରାଖି ପଠାଇଥାନ୍ତି । ମା’ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ଏହି ପାଟ ରାଖି ନେଇ ଆସିବାର ପରମ୍ପରା ରହିଛି । ଗତକାଲି ମଧ୍ୟ ମା’ ସୁଭଦ୍ରାଙ୍କ ମୁଖ୍ୟ ବାଡ଼ଗ୍ରାହୀ ବଡ଼ଠାକୁର ବଳଦେବଜୀଉ, ସାନଭାଇ ଜଗନ୍ନାଥ ଏବଂ ପାଞ୍ଚ ପାର୍ଶ୍ୱ ଦେବାଦେବୀଙ୍କ ପାଇଁ ପାଟ ରାଖି ଧରି ଆସିଥିଲେ । ତାଙ୍କ ସହ ଶ୍ରୀଜଗନ୍ନାଥ ପାଟସେବା ସଂଘର ସଦସ୍ୟମାନେ ମଧ୍ୟ କେନ୍ଦ୍ରାପଡ଼ାରେ ପହଞ୍ଚିଥିଲେ । ଭାଇ-ଭଉଣୀଙ୍କ ଅତୁଟ ସମ୍ପର୍କ ଓ ଶ୍ରୀଜଗନ୍ନାଥ ସଂସ୍କୃତିର ଏହି ଅନନ୍ୟ ପରମ୍ପରାକୁ ନେଇ କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିରରେ ଭକ୍ତି ଓ ଶ୍ରଦ୍ଧାର ପରିବେଶ ଦେଖିବାକୁ ମିଳିଛି ।












Leave a Reply