ଢେଙ୍କାନାଳ: ପାରିବାରିକ କଳହକୁ କେନ୍ଦ୍ର କରି ଭିଣୋଇଙ୍କୁ ଅତର୍କିତ ଆକ୍ରମଣ ଏବଂ ଲୁଟ୍ ଅଭିଯୋଗ। ରାସ୍ତାରେ ଅଟକାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ବାଇକ୍ର ଡିକି ଭାଙ୍ଗି ୫୦ ହଜାର ଟଙ୍କା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନେଇଯିବା ଅଭିଯୋଗ ହୋଇଛି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଣ୍ଡୁଆ ଫାଣ୍ଡି ଅନ୍ତର୍ଗତ ଶାଳୁଆ ଛକରେ ଘଟିଛି ଏହି ଘଟଣା।
ସୂଚନା ଅନୁସାରେ, ପ୍ରମୋଦ କୁମାର ଭୋଇ କୌଣସି ଏକ ମାମଲା ସମ୍ପର୍କରେ ପଣ୍ଡୁଆ ଫାଣ୍ଡିକୁ ଅଭିଯୋଗ ଦେବାକୁ ଯାଇଥିଲେ। ଫାଣ୍ଡିରୁ ଫେରୁଥିବା ସମୟରେ ଶାଳୁଆ ଛକ ନିକଟରେ ତାଙ୍କୁ ତାଙ୍କ ଶାଳକ ରୁଦ୍ରନାରାୟଣ ଭୋଇ ଅଟକାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, ରୁଦ୍ରନାରାୟଣ ଧାରୁଆ ଅସ୍ତ୍ରରେ ପ୍ରମୋଦଙ୍କୁ ଆକ୍ରମଣ କରିଥିଲେ। ପରେ ତାଙ୍କ ବାଇକ୍ର ଡିକି ଭାଙ୍ଗି ସେଥିରେ ଥିବା ୫୦ ହଜାର ଟଙ୍କା ଏବଂ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନେଇଯାଇଥିବା ଅଭିଯୋଗ ରହିଛି। ଆକ୍ରମଣରେ ପ୍ରମୋଦ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପାରିବାରିକ କଳହକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ପ୍ରାଥମିକ ଭାବେ କୁହାଯାଉଛି। ଘଟଣା ପରେ ଅଭିଯୁକ୍ତ ରୁଦ୍ରନାରାୟଣ ଭୋଇ ଫେରାର ଥିବା ବେଳେ ପୁଲିସ ତାଙ୍କୁ ଖୋଜୁଛି। ଆକ୍ରମଣର ପ୍ରକୃତ କାରଣ, ଲୁଟ୍ ଅଭିଯୋଗ ଏବଂ ଘଟଣାର ସମ୍ପୂର୍ଣ୍ଣ ପରିସ୍ଥିତି ନେଇ ପୁଲିସର ତଦନ୍ତ ଜାରି ରହିଛି।















Leave a Reply