ଅକ୍ଷର ବ୍ୟୁରୋ: ନେପାଳରେ ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟର ତାଣ୍ଡବ ମଧ୍ୟରେ ଏବେ ଆଉ ଏକ ବଡ଼ ବିପଦର ଆଶଙ୍କା ସୃଷ୍ଟି ହୋଇଛି । ତିବ୍ବତରେ ହିମଖଣ୍ଡ ଭାଙ୍ଗିବା ପରେ ନେପାଳର ଅନେକ ଅଞ୍ଚଳରେ ବନ୍ୟା ଓ ଧ୍ୱଂସର ଚିତ୍ର ସାମ୍ନାକୁ ଆସିଛି । ଏପର୍ଯ୍ୟନ୍ତ ୧୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଶହ ଶହ ଲୋକ ନିଖୋଜ ଥିବା ସୂଚନା ମିଳିଛି । ଘର, ବ୍ରିଜ୍, ରାସ୍ତା ଓ ଅନ୍ୟାନ୍ୟ ଭିତ୍ତିଭୂମି ଧ୍ୱଂସ ହୋଇଥିବାରୁ ବିପର୍ଯ୍ୟୟର ପ୍ରକୃତ କ୍ଷୟକ୍ଷତି ଆକଳନ କରିବା ମଧ୍ୟ କଷ୍ଟକର ହୋଇପଡ଼ିଛି ।
ତେବେ ଏହି ବିପର୍ଯ୍ୟୟ ଥମିନଥିବା ବେଳେ ନେପାଳ ଆଗରେ ଆଉ ଏକ ବଡ଼ ବିପଦ । ୪୭ଟି ହିମବାହ ହ୍ରଦକୁ ସମ୍ଭାବ୍ୟ ବିପଦପୂର୍ଣ୍ଣ ଭାବେ ଚିହ୍ନଟ କରାଯାଇଛି । ବୈଜ୍ଞାନିକଙ୍କ ଆଶଙ୍କା, ଏଗୁଡ଼ିକ ମଧ୍ୟରୁ କୌଣସି ହ୍ରଦର ପ୍ରାକୃତିକ ବନ୍ଧ ଭାଙ୍ଗିଗଲେ ହଠାତ୍ ବିପୁଳ ପରିମାଣର ପାଣି ତଳକୁ ଆସିପାରେ । ଏହାକୁ ଗ୍ଲେସିୟର ଲେକ୍ ଆଉଟବର୍ଷ୍ଟ ଫ୍ଲଡ୍ (GLOF) କୁହାଯାଏ । ଆନ୍ତର୍ଜାତୀୟ ସମନ୍ୱିତ ପର୍ବତ ବିକାଶ କେନ୍ଦ୍ର (ICIMOD) ଏବଂ ନେପାଳ ସରକାରଙ୍କ ଆକଳନ ଅନୁସାରେ, ଏହି ୪୭ଟି ସମ୍ଭାବ୍ୟ ବିପଦପୂର୍ଣ୍ଣ ହିମବାହ ହ୍ରଦ ମଧ୍ୟରୁ ୨୧ଟି ନେପାଳରେ ଏବଂ ୨୫ଟି ତିବ୍ବତରେ ରହିଛି । ଏଗୁଡ଼ିକ ନେପାଳ ଆଡ଼କୁ ପ୍ରବାହିତ ହେଉଥିବା ନଦୀଗୁଡ଼ିକର ଉପରମୁଣ୍ଡରେ ଅବସ୍ଥିତ ।
ଫଳରେ କୌଣସି ହ୍ରଦ ଫାଟିଗଲେ ତଳମୁଣ୍ଡରେ ଥିବା ଗାଁ, ସହର, ରାସ୍ତା, ସେତୁ, ବିଦ୍ୟୁତ୍ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ଭୟଙ୍କର ଭାବେ ପ୍ରଭାବିତ ହୋଇପାରେ । ବିପଦ ଆଶଙ୍କା ଥିବା ହ୍ରଦଗୁଡ଼ିକ ମଧ୍ୟରେ ଲୋୟର ବରୁଣ (ତଲ୍ଲୋପୋଖରୀ), ଥୁଲାଗି (ଡୋନା), ଲୁମଡିଂ ସୋ, ହୋଙ୍ଗୁ-୨/ଚାମଲାଙ୍ଗ ଦକ୍ଷିଣ, ସୋ ରୋଲପା ଏବଂ ଇମଜା ସୋ ଭଳି ହ୍ରଦ ରହିଛି । ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଏବଂ ଜାତିସଂଘ ବିକାଶ କାର୍ଯ୍ୟକ୍ରମ (UNDP) ଦ୍ରୁତ ଗତିରେ ବଢ଼ୁଥିବା ଓ କୂଳ ବିସ୍ତାର କରୁଥିବା କେତେକ ହ୍ରଦକୁ ଅଧିକ ବିପଦପୂର୍ଣ୍ଣ ଭାବେ ବିବେଚନା କରିଛନ୍ତି । ଅନେକ ହ୍ରଦ ବରଫ, କାଦୁଅ ଓ ପଥରର ପ୍ରାକୃତିକ ବନ୍ଧ ଦ୍ୱାରା ଘେରି ରହିଛି । ଏହି ପ୍ରାକୃତିକ ବନ୍ଧ ଦୁର୍ବଳ ହୋଇ ଭାଙ୍ଗିଗଲେ ହଠାତ୍ ଜଳପ୍ରଳୟ ତଳମୁଣ୍ଡକୁ ମାଡ଼ି ଆସିପାରେ ।
ଏହି ବିପଦରେ ନେପାଳର ପାହାଡ଼ିଆ ଓ ମଧ୍ୟ-ପାହାଡ଼ିଆ ଅଞ୍ଚଳ ସର୍ବାଧିକ ପ୍ରଭାବିତ ହୋଇପାରେ । ବିଶେଷକରି କୋଶି ଓ ବାଗମତୀ ଅବବାହିକା ଉପରେ ଚିନ୍ତା ବଢ଼ିଛି । ଆକଳନ ଅନୁସାରେ, ୮୫ ପ୍ରତିଶତରୁ ଅଧିକ ବିପଦପୂର୍ଣ୍ଣ ହ୍ରଦ ପୂର୍ବ ଓ କେନ୍ଦ୍ରୀୟ ନେପାଳରେ ରହିଛି । ପଶ୍ଚିମ ନେପାଳର ମଧ୍ୟ ଅନେକ ଜିଲ୍ଲା ବିପଦ ଘେରରେ ରହିଛି । ହିମବାହ ହ୍ରଦ ଫାଟିଲେ ବନ୍ୟାର ବେଗ ଅତ୍ୟନ୍ତ ଦ୍ରୁତ ହୋଇଥିବାରୁ ତଳମୁଣ୍ଡରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଖୁବ୍ କମ୍ ସମୟ ମିଳିପାରେ । ବର୍ତ୍ତମାନର ବିପଦକୁ ଦୃଷ୍ଟିରେ ରଖି ହିମବାହ ହ୍ରଦଗୁଡ଼ିକର ଜଳସ୍ତର ହ୍ରାସ କରିବା, ଦୁର୍ବଳ ପ୍ରାକୃତିକ ବନ୍ଧ ଉପରେ ନଜର ରଖିବା ଏବଂ ବିପଦପୂର୍ଣ୍ଣ ଅଞ୍ଚଳରେ ପୂର୍ବ ସତର୍କତା ବ୍ୟବସ୍ଥାକୁ ମଜବୁତ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ଗୋଟିଏ ପଟେ ବନ୍ୟାର ବିଭୀଷିକା, ଅନ୍ୟପଟେ ପାହାଡ଼ ଉପରେ ବଢ଼ୁଥିବା ହିମବାହ ହ୍ରଦ—ନେପାଳ ଏବେ ଦୁଇଟି ବଡ଼ ପ୍ରାକୃତିକ ବିପଦର ଚାପରେ ।













Leave a Reply