ପୁରୁଣା ଗାଡ଼ି ମାଲିକଙ୍କ ପାଇଁ ବଡ଼ ଖବର! ଓଡ଼ିଶାରେ ୨୦ ଲକ୍ଷ ଗାଡ଼ିର RC ବାତିଲ୍‌ ଦାବି

ଅକ୍ଷର ବ୍ୟୁରୋ: ପୁରୁଣା ଗାଡ଼ି ମାଲିକଙ୍କ ପାଇଁ ବଢ଼ିଲା ଚିନ୍ତା । ଗାଡ଼ିର କାଗଜପତ୍ର ଠିକ୍‌ ନଥିଲେ ରାସ୍ତାରେ ଚଳାଇବା ଉପରେ ଲାଗିପାରେ କଟକଣା । କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ମନ୍ତ୍ରଣାଳୟର ନୂଆ ନୀତିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଭେଇକିଲ୍‌ କ୍ଲାସିଫିକେସନ୍‌ ନୀତି ଅନୁସାରେ ନବୀକରଣ ହୋଇନଥିବା କାଗଜପତ୍ର ଥିବା ପୁରୁଣା ଗାଡ଼ିଗୁଡ଼ିକୁ ରାସ୍ତାରୁ ହଟାଇବା ନେଇ ପଦକ୍ଷେପ ନିଆଯାଉଥିବା ଦାବି ହେଉଛି ।

ଦାବି ଅନୁସାରେ, ଓଡ଼ିଶାରେ ପ୍ରାୟ ୨୦ ଲକ୍ଷ ଗାଡ଼ିର ପଞ୍ଜୀକରଣ ସାର୍ଟିଫିକେଟ୍‌ ବା RC ବାତିଲ୍‌ ହୋଇସାରିଛି । ଯଦି RC ବାତିଲ୍‌ ହୋଇଥାଏ, ତେବେ ସେହି ଗାଡ଼ି ରାସ୍ତାରେ ଚଳାଚଳ ପାଇଁ ବୈଧ ରହିବ ନାହିଁ । ଏହାରି ଭିତରେ ଆଗାମୀ ଦିନରେ ଆହୁରି ପ୍ରାୟ ୩୦ ଲକ୍ଷ ଗାଡ଼ି ରାସ୍ତାରୁ ହଟିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ସବୁଠାରୁ ବଡ଼ ପ୍ରଶ୍ନ ହେଉଛି—ଗାଡ଼ିର RC ବାତିଲ୍‌ ହୋଇଥିଲେ ମଧ୍ୟ ଅନେକ ମାଲିକ ଏ ସମ୍ପର୍କରେ ଅବଗତ ନଥିବା ଅଭିଯୋଗ ହେଉଛି । ପୂର୍ବରୁ ଗାଡ଼ି ମାଲିକଙ୍କୁ ସୂଚନା ଦିଆଯାଉନଥିବାରୁ ଅଜାଣତରେ ସେମାନେ ଗାଡ଼ି ଚଳାଉଥିବା କୁହାଯାଉଛି । ଯାଞ୍ଚ ସମୟରେ ଗାଡ଼ି ଧରାପଡ଼ିବା ପରେ ହିଁ RC ବାତିଲ୍‌ ହୋଇଥିବା ଜଣାପଡ଼ୁଛି ବୋଲି ଅଭିଯୋଗ ରହିଛି । ଏଭଳି ସ୍ଥିତିରେ ମାଲିକଙ୍କୁ ଜରିମାନା ଦେବାକୁ ପଡ଼ିପାରେ ।

କାଗଜପତ୍ର ନବୀକରଣ ନେଇ ବଢ଼ିପାରେ ଖର୍ଚ୍ଚ

ପୁରୁଣା ଗାଡ଼ିର ଆବଶ୍ୟକ କାଗଜପତ୍ର ନବୀକରଣ ପ୍ରକ୍ରିୟା ଜଟିଳ ହେଲେ ମାଲିକଙ୍କୁ ଅଧିକ ଖର୍ଚ୍ଚର ସାମ୍ନା କରିବାକୁ ପଡ଼ିପାରେ । ଏପରିକି ଗାଡ଼ି ଚଳାଚଳ ପାଇଁ ଅଯୋଗ୍ୟ ହୋଇଗଲେ ନୂଆ ଗାଡ଼ି କିଣିବା ଛଡ଼ା ଅନ୍ୟ ବିକଳ୍ପ ନଥାଇପାରେ । ଫଳରେ ସାଧାରଣ ଗାଡ଼ି ମାଲିକଙ୍କ ଚିନ୍ତା ବଢ଼ିଛି ।

ନୂଆ ଗାଡ଼ି ବଜାରକୁ ମିଳିବ ଫାଇଦା?

ଅନ୍ୟପଟେ, ପୁରୁଣା ଗାଡ଼ି ହଟାଇବା ନୀତି ଲାଗୁ ହେଲେ ନୂଆ ଗାଡ଼ିର ଚାହିଦା ବଢ଼ିପାରେ । ଏହାଦ୍ୱାରା ଗାଡ଼ି ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ଲାଭବାନ ହୋଇପାରନ୍ତି ବୋଲି ମଧ୍ୟ ଆଶଙ୍କା ପ୍ରକାଶ ପାଉଛି । ତେବେ ୨୦ ଲକ୍ଷ RC ବାତିଲ୍‌ ଏବଂ ଆହୁରି ୩୦ ଲକ୍ଷ ଗାଡ଼ି ହଟିବା ଦାବି ସମ୍ପର୍କରେ ସରକାରୀ ସ୍ପଷ୍ଟୀକରଣ ଆସିବା ଅପେକ୍ଷାରେ ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial