ହର୍ମୁଜ୍‌ରେ ଭୟଙ୍କର ଆକ୍ରମଣ: ୬୮ ଘଟଣାରେ ୨୦ ନାବିକ ମୃତ

ଅକ୍ଷର ବ୍ୟୁରୋ: ଇରାନ ଏବଂ ଆମେରିକା-ଇସ୍ରାଏଲ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଏବେ ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ହର୍ମୁଜ୍ ପ୍ରଣାଳୀ ଉପରେ ପଡ଼ିଛି। ତୈଳ ଓ ଗ୍ୟାସ୍ ପରିବହନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏହି ଜଳପଥରେ ବାରମ୍ବାର ବାଣିଜ୍ୟିକ ଜାହାଜକୁ ଟାର୍ଗେଟ୍ କରାଯାଉଥିବା ରିପୋର୍ଟ ଆସିଛି। ଆନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ (IMO) ଅନୁସାରେ, ଉପସାଗରୀୟ ଅଞ୍ଚଳ ଓ ଏହାର ନିକଟବର୍ତ୍ତୀ ଜଳଭାଗରେ ୬୮ଟି ଆକ୍ରମଣ ଘଟଣା ଚିହ୍ନଟ ହୋଇଛି। ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ୨୦ ଜଣ ନାବିକ କିମ୍ବା ବନ୍ଦର କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫ ଜଣ ଆହତ ହୋଇଛନ୍ତି। ଏଥିସହ ଜଣେ ନାବିକ ନିଖୋଜ ଥିବା ରିପୋର୍ଟ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଜାହାଜଗୁଡ଼ିକ ମଧ୍ୟରେ ପ୍ରାୟ ଅଧା ତୈଳ ଟ୍ୟାଙ୍କର୍ ରହିଛି। ସେହିପରି ପ୍ରାୟ ୨୦% କଣ୍ଟେନର ଜାହାଜ ଏବଂ ୧୫% ବଲ୍କ କ୍ୟାରିଅର୍ ଉପରେ ଆକ୍ରମଣ ହୋଇଛି।

ୟୁନାଇଟେଡ୍ କିଙ୍ଗଡମ୍ ମେରିଟାଇମ୍ ଟ୍ରେଡ୍ ଅପରେସନ୍ସ (UKMTO) ୪୭ଟି ଘଟଣାକୁ ଆକ୍ରମଣ ଭାବେ ବର୍ଗୀକୃତ କରିଛି। ଏଥିରେ ଲାଇବେରିଆ ପତାକାଧାରୀ ଜାହାଜ ସର୍ବାଧିକ ପ୍ରଭାବିତ ହୋଇଛି। ଏଭଳି ଜାହାଜ ଉପରେ ୧୩ଟି ଆକ୍ରମଣ ହୋଇଥିବା ବେଳେ ପାନାମା ଓ ମାର୍ଶାଲ ଦ୍ୱୀପପୁଞ୍ଜ ପତାକାଧାରୀ ୧୦ଟି ଲେଖାଏଁ ଜାହାଜ ପ୍ରଭାବିତ ହୋଇଛି। ଅନ୍ୟପକ୍ଷରେ, ୪ଟି ଘଟଣାରେ ଇରାନ ପତାକାଧାରୀ ଜାହାଜ ସମ୍ପୃକ୍ତ ଥିବା ଜଣାପଡ଼ିଛି। ଯୁଦ୍ଧର ବିଭିନ୍ନ ପର୍ଯ୍ୟାୟରେ ହର୍ମୁଜ୍ ଅଞ୍ଚଳରେ ଆକ୍ରମଣର ହାରରେ ଉତ୍ଥାନ-ପତନ ଦେଖାଯାଇଛି। ତଥାପି ଏତେ ସଂଖ୍ୟକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ଅନ୍ତର୍ଜାତୀୟ ନୌବାଣିଜ୍ୟ ଏବଂ ତୈଳ ଯୋଗାଣ ଶୃଙ୍ଖଳ ପାଇଁ ଚିନ୍ତା ବଢ଼ାଇଛି। ହର୍ମୁଜ୍ ପ୍ରଣାଳୀରେ ଅସ୍ଥିରତା ଜାରି ରହିଲେ ବିଶ୍ୱ ତୈଳ ବଜାର, ଜାହାଜ ଚଳାଚଳ ଏବଂ ଅନ୍ତର୍ଜାତୀୟ ବାଣିଜ୍ୟ ଉପରେ ଏହାର ପ୍ରଭାବ ପଡ଼ିବାର ଆଶଙ୍କା ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial