IIT ଦିଲ୍ଲୀରେ ଛାତ୍ର ମୃତ୍ୟୁକୁ ନେଇ ତେଜିଲା ବିବାଦ

ଅକ୍ଷର ବ୍ୟୁରୋ: IIT ଦିଲ୍ଲୀର ଏମ୍‌ଏସ୍‌ସି ଫିଜିକ୍ସ ଛାତ୍ର ଋଷିକେଶ କୁମାରଙ୍କ ମୃତ୍ୟୁକୁ ନେଇ ଏବେ ସଂସ୍ଥାରେ ଛାତ୍ର କଲ୍ୟାଣ ଓ ମାନସିକ ସ୍ୱାସ୍ଥ୍ୟ ସହାୟତା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନ ଉଠିଛି। ୩୧ ବର୍ଷୀୟ ଋଷିକେଶଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ପକ୍ଷରୁ IIT ପ୍ରଶାସନ ବିରୋଧରେ ଗୁରୁତର ଅଭିଯୋଗ ଆସିଛି। ଘଟଣାର ତଦନ୍ତ ପାଇଁ IIT ଦିଲ୍ଲୀ ଏକ ବାହ୍ୟ ତଦନ୍ତ କମିଟି ଗଠନ କରିଛି। ଋଷିକେଶଙ୍କ ଭାଇ ଅଭିଷେକଙ୍କ ଅଭିଯୋଗ ଅନୁସାରେ, ଋଷିକେଶ ମାନସିକ ଭାବେ ଚାପରେ ଥିବା ନେଇ ପରିବାର IIT ପ୍ରଶାସନକୁ ଅବଗତ କରାଇଥିଲା। ତାଙ୍କ ମାନସିକ ସ୍ଥିତିକୁ ନେଇ ମଧ୍ୟ ପରିବାର ପକ୍ଷରୁ ସତର୍କ କରାଯାଇଥିବା ଦାବି କରାଯାଇଛି।

ଚିକିତ୍ସାଜନିତ କାରଣରୁ କିଛି ସମୟ ଶିକ୍ଷାରୁ ବିରତି ନେବା ପରେ ଋଷିକେଶ ତୃତୀୟ ସେମିଷ୍ଟରରେ ପୁଣି ଫେରିଥିଲେ। ପରେ ତାଙ୍କୁ ଏକ ରିସର୍ଚ୍ଚ ପ୍ରୋଜେକ୍ଟ ଦିଆଯାଇଥିଲା। ହେଲେ ସେ ଏକାକୀ ପ୍ରୋଜେକ୍ଟ କରୁଥିବା ଏବଂ ତାଙ୍କୁ ଅନ୍ୟ ଜଣେ ଛାତ୍ରଙ୍କ ସହ ଯୋଡ଼ିବାକୁ ପରିବାର ପକ୍ଷରୁ ଅନୁରୋଧ ସତ୍ତ୍ୱେ ତାହା ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି। ଋଷିକେଶଙ୍କ ପାଇଁ ହଷ୍ଟେଲ ରୁମ୍‌ ଏବଂ ପରିବାର ରହିବା ପାଇଁ କ୍ୟାମ୍ପସ୍‌ରେ କ୍ୱାର୍ଟର ଦେବାକୁ ମଧ୍ୟ ପରିବାର ପକ୍ଷରୁ ଅନୁରୋଧ କରାଯାଇଥିଲା। ତେବେ ଏହା ମିଳିନଥିବା ଅଭିଯୋଗ ଭାଇ ଅଭିଷେକ କରିଛନ୍ତି। ଏସବୁ ପରିସ୍ଥିତି ଋଷିକେଶଙ୍କ ଉପରେ ମାନସିକ ଚାପ ବଢ଼ାଇଥିବା ପରିବାର ଅଭିଯୋଗ କରିଛି।

ଘଟଣାର ପ୍ରକୃତ କାରଣ ଓ ପରିସ୍ଥିତି ଖୋଜିବା ପାଇଁ IIT ଦିଲ୍ଲୀ ପକ୍ଷରୁ ବାହ୍ୟ ତଦନ୍ତ କମିଟି ଗଠନ କରାଯାଇଛି। କମିଟିରେ ଉତ୍ତରାଖଣ୍ଡର ପୂର୍ବତନ DGP ଅଶୋକ କୁମାରଙ୍କ ସମେତ AIIMS ଦିଲ୍ଲୀର ଜଣେ ସାଇକିଆଟ୍ରିଷ୍ଟ ରହିଛନ୍ତି। ଘଟଣାକୁ ନେଇ IIT ଦିଲ୍ଲୀ କ୍ୟାମ୍ପସ୍‌ରେ ମଧ୍ୟ ଛାତ୍ରଛାତ୍ରୀଙ୍କ ପ୍ରତିବାଦ ତୀବ୍ର ହୋଇଛି। ଶତାଧିକ ଛାତ୍ରଛାତ୍ରୀ ‘ଜଷ୍ଟିସ୍ ଫର୍ ଋଷିକେଶ’ ନାରା ଦେଇ ଛାତ୍ର କଲ୍ୟାଣ, ମାନସିକ ସ୍ୱାସ୍ଥ୍ୟ ସହାୟତା ଓ ସଂସ୍ଥାଗତ ଦାୟିତ୍ୱ ନେଇ ପ୍ରଶ୍ନ ଉଠାଇଛନ୍ତି। ପୁଲିସ ଘଟଣାସ୍ଥଳରୁ କୌଣସି ନୋଟ୍‌ ଜବତ କରିନଥିବା ବେଳେ ଋଷିକେଶଙ୍କ କାଉନ୍‌ସେଲିଂ ରେକର୍ଡ, ମୋବାଇଲ୍‌ ଫୋନ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ଯାଞ୍ଚ କରୁଛି। ତଦନ୍ତ ଶେଷ ହେବା ପରେ ହିଁ ଘଟଣା ପଛର ପ୍ରକୃତ କାରଣ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial