ଅକ୍ଷର ବ୍ୟୁରୋ: ତିବ୍ବତ ସ୍ୱୟଂଶାସିତ ଅଞ୍ଚଳର ଜିଗାଜେ ସିଟି ଅନ୍ତର୍ଗତ ଗାଇରୋଙ୍ଗ୍ କାଉଣ୍ଟିରେ ବଡ଼ ଧରଣର ଭୂସ୍ଖଳନ ପରେ ଚୀନ୍ରେ ହାଇଆଲର୍ଟ । ଭୂସ୍ଖଳନରେ ବ୍ୟାପକ କ୍ଷୟକ୍ଷତି ପରେ ଚୀନ୍ ସରକାର ଦେଶର ଚାରି-ସ୍ତରୀୟ ଜରୁରୀକାଳୀନ ବ୍ୟବସ୍ଥାର ଦ୍ୱିତୀୟ ସର୍ବୋଚ୍ଚ ଜରୁରୀକାଳୀନ ସ୍ତର ଜାରି କରିଛି । ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଜୋରଦାର କରାଯାଇଛି ।
ସିନହୁଆର ରିପୋର୍ଟ ଅନୁସାରେ, ଚୀନ୍ ସେନାର ପଶ୍ଚିମ ଥିଏଟର କମାଣ୍ଡ ପକ୍ଷରୁ ବାୟୁସେନାର Y-20 ସାମରିକ ପରିବହନ ବିମାନ ଯୋଗେ ଉଦ୍ଧାରକାରୀ ଦଳକୁ ତିବ୍ବତ ପଠାଯାଇଛି । ପଶ୍ଚିମ ଥିଏଟର କମାଣ୍ଡ ନେତୃତ୍ୱରେ ପିପୁଲ୍ସ ଲିବରେସନ୍ ଆର୍ମି (PLA)ର ମିଳିତ ଉଦ୍ଧାର ଅଭିଯାନ ଚାଲିଛି । ଉଦ୍ଧାର ଅଭିଯାନକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ୫୭୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ଓ ଇଞ୍ଜିନିୟରିଂ ବିଶେଷଜ୍ଞଙ୍କୁ ନିୟୋଜିତ କରାଯାଇଛି । ସେମାନଙ୍କ ମଧ୍ୟରୁ ୨୪୯ ଜଣ ସ୍ୱତନ୍ତ୍ର ଅଗ୍ନିଶମ କର୍ମଚାରୀ ମାଟିତଳେ ଫସିଥିବା ଲୋକଙ୍କୁ ଖୋଜି ଉଦ୍ଧାର କରିବାରେ ନିୟୋଜିତ ହୋଇଛନ୍ତି । ସେହିପରି, ଅବରୋଧ ହୋଇଥିବା ରାସ୍ତା ଖୋଲିବା ଓ ଭୂସ୍ଖଳନର ଆବର୍ଜନା ହଟାଇବା ପାଇଁ ଭାରୀ ଯନ୍ତ୍ରପାତି ସହ ୩୨୫ ଜଣ ଇଞ୍ଜିନିୟରିଂ ଉଦ୍ଧାର କର୍ମଚାରୀଙ୍କୁ ମୁତୟନ କରାଯାଇଛି ।
ସ୍ଥାନୀୟ ପ୍ରଶାସନକୁ ସହାୟତା କରିବା ପାଇଁ ଚୀନ୍ର ଜରୁରୀକାଳୀନ ପରିଚାଳନା ମନ୍ତ୍ରଣାଳୟ ମଧ୍ୟ ଏକ ସ୍ୱତନ୍ତ୍ର କାର୍ଯ୍ୟକାରୀ ଦଳକୁ ପ୍ରଭାବିତ ଅଞ୍ଚଳକୁ ପଠାଇଛି । ଉଦ୍ଧାରକାର୍ଯ୍ୟ ସହିତ ପ୍ରଭାବିତ ଲୋକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଦେବା ଏବଂ ଆବଶ୍ୟକ ରିଲିଫ୍ ସାମଗ୍ରୀ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଉଛି । ନେପାଳ ସୀମା ନିକଟରେ ଥିବା ଗାଇରୋଙ୍ଗ୍ କାଉଣ୍ଟି ପୂର୍ବରୁ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବରେ ରହିଛି । ଭୂସ୍ଖଳନ ପରେ ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା, ଚିକିତ୍ସା ସୁବିଧା ଯୋଗାଇବା ଏବଂ ବିଚ୍ଛିନ୍ନ ଯୋଗାଯୋଗ ବ୍ୟବସ୍ଥାକୁ ପୁନଃସ୍ଥାପନ ପାଇଁ ଚୀନ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜୋରଦାର ପ୍ରୟାସ ଜାରି ରହିଛି । ଭୂସ୍ଖଳନର ପ୍ରକୃତ କ୍ଷୟକ୍ଷତି ଓ ନିଖୋଜ ଲୋକଙ୍କ ସଂଖ୍ୟା ସମ୍ପର୍କରେ ଉଦ୍ଧାର ଅଭିଯାନ ଆଗକୁ ବଢ଼ିବା ସହ ଅଧିକ ତଥ୍ୟ ସାମ୍ନାକୁ ଆସିବ ।













Leave a Reply