୧୦ମ ମହଲାରୁ ଖସିଲେ ନବବିବାହିତା, ଗଛ ଡାଳରେ ଅଟକିଲା ଜୀବନ!

ମୁମ୍ବାଇ: ମୁମ୍ବାଇର ଭାଣ୍ଡୁପ୍ ଅଞ୍ଚଳରୁ ଆସିଛି ଚମକାଇଦେବା ଭଳି ଘଟଣା। ୧୦ମ ମହଲାରୁ ଖସିବା ପରେ ତଳେ ନପଡ଼ି ଏକ ଗଛ ଡାଳରେ ଅଟକିଗଲେ ଜଣେ ୨୬ ବର୍ଷୀୟା ନବବିବାହିତା। ପ୍ରାୟ ୨୦ରୁ ୨୫ ଫୁଟ୍ ଉଚ୍ଚତାରେ ଗଛ ଡାଳ ମଝିରେ ଫସି ରହିଥିବା ମହିଳାଙ୍କୁ ଫାୟାର ବ୍ରିଗେଡ୍ ଦୀର୍ଘ ସମୟର ଉଦ୍ୟମ ପରେ ଉଦ୍ଧାର କରିଛି। ଘଟଣାଟି ଭାଣ୍ଡୁପ୍‌ର ଲେକ୍ ରୋଡ୍‌ସ୍ଥିତ ସନ୍‌ସାଇନ୍ ବିଲ୍ଡିଂରେ ଘଟିଛି। ପୁଲିସ ସୂଚନା ଅନୁସାରେ, ପ୍ରତୀକ୍ଷା ହିୱରାଲେ ନାମକ ଏହି ମହିଳା ବିଲ୍ଡିଂର ଏକ ଫ୍ଲାଟ୍‌ରୁ ତଳକୁ ଖସିଥିଲେ। ତେବେ ଭାଗ୍ୟବଶତଃ ତଳେ ପଡ଼ିବା ପୂର୍ବରୁ ନିକଟରେ ଥିବା ଗଛ ଉପରେ ପଡ଼ିଯାଇଥିଲେ। ଫଳରେ ଗଛର ଡାଳ ମଝିରେ ସେ ଅଟକି ରହିଥିଲେ।

ବୁଧବାର ସକାଳ ପ୍ରାୟ ୯ଟା ୩୨ ମିନିଟ୍‌ରେ ଅଗ୍ନିଶମ ବିଭାଗକୁ ଏନେଇ ଖବର ମିଳିଥିଲା। ସୂଚନା ପାଇ ଫାୟାର ବ୍ରିଗେଡ୍‌ର ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଗଛ ଡାଳରେ ଫସିଥିବା ପ୍ରତୀକ୍ଷାଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ କର୍ମଚାରୀ ହୁକ୍ ଲ୍ୟାଡର୍‌ର ସହାୟତା ନେଇଥିଲେ। ଅତ୍ୟନ୍ତ ସତର୍କତାର ସହ ତାଙ୍କୁ ଗଛରୁ ତଳକୁ ଅଣାଯାଇଥିଲା। ଉଦ୍ଧାର ପରେ ତାଙ୍କୁ ଏକ ଘରୋଇ ଆମ୍ବୁଲାନ୍ସରେ ନିକଟସ୍ଥ ଘରୋଇ ହସ୍ପିଟାଲ୍‌କୁ ନିଆଯାଇଥିଲା। ତାଙ୍କ ବାମ ଗୋଡ଼ରେ ଆଘାତ ଲାଗିଥିବା ଡାକ୍ତର ସୂଚନା ଦେଇଛନ୍ତି। ପରେ ଅଧିକ ଚିକିତ୍ସା ଓ ଅପରେସନ୍ ପାଇଁ ତାଙ୍କୁ ସାୟନ୍ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ସେଠାରେ ସେ ଏବେ ଏମର୍ଜେନ୍ସି ୱାର୍ଡରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ରହିଛି।

ପୁଲିସ ଅନୁସାରେ, ପ୍ରତୀକ୍ଷାଙ୍କ ବିବାହକୁ ମାତ୍ର ୪ ମାସ ହୋଇଛି। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ପୁଲିସ ଏପର୍ଯ୍ୟନ୍ତ ତାଙ୍କ ବୟାନ ରେକର୍ଡ କରିପାରିନାହିଁ। ଡାକ୍ତରଙ୍କଠାରୁ ଏନେଇ ମେଡିକାଲ୍ ଏଣ୍ଡୋର୍ସମେଣ୍ଟ ନିଆଯାଇଛି। ଘଟଣା ସମ୍ପର୍କରେ ତାଙ୍କ ବାପା-ମାଆଙ୍କୁ ମଧ୍ୟ ଅବଗତ କରାଯାଇଛି। ପ୍ରତୀକ୍ଷା ସୁସ୍ଥ ହେବା ପରେ ତାଙ୍କ ବୟାନ ରେକର୍ଡ କରାଯିବ। ଏହାପରେ ସେ କେଉଁ ପରିସ୍ଥିତିରେ ଏଭଳି ପଦକ୍ଷେପ ନେଲେ, ତାହାର ତଦନ୍ତ କରିବ ପୁଲିସ। ୧୦ମ ମହଲାରୁ ଖସିବା ପରେ ଗଛ ଡାଳରେ ଅଟକିଯିବା ଏବଂ ପରେ ଫାୟାର ବ୍ରିଗେଡ୍‌ ତାଙ୍କୁ ଉଦ୍ଧାର କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial