ନେପାଳ ବନ୍ୟାରେ ଫସିଥିଲେ ଚାନ୍ଦବାଲିର ୨ ପର୍ଯ୍ୟଟକ, ଏବେ ସୁରକ୍ଷିତ!

ଅକ୍ଷର ବ୍ୟୁରୋ: ନେପାଳର ପ୍ରଳୟଙ୍କରୀ ବନ୍ୟାରେ ଫସିଛନ୍ତି ଶହଶହ ଭାରତୀୟ । ଏହାରି ଭିତରେ ନେପାଳରୁ ଆସିଛି ଆଶ୍ୱସ୍ତିକର ଖବର । ଭଦ୍ରକ ଜିଲ୍ଲା ଚାନ୍ଦବାଲିର ଦୁଇ ଜଣ ପର୍ଯ୍ୟଟକ ସୁରକ୍ଷିତ ଥିବା ନେଇ ପରିବାର ସହ ଫୋନ୍‌ରେ ଯୋଗାଯୋଗ ହୋଇଛି । ଖବର ମିଳିବା ପରେ ଚାନ୍ଦବାଲିର ଦୁଇଟି ପରିବାରରେ ଖୁସିର ଲହରି ଖେଳିଯାଇଛି । ଚାନ୍ଦବାଲି ବ୍ଲକ ନାଲଗୁଣ୍ଡା ପଞ୍ଚାୟତର ଟୁନା ଦାଶଙ୍କ ସମେତ ଦୁଇ ଜଣ କୈଳାସ ଟ୍ରାଭେଲର୍ସ ଜରିଆରେ ନେପାଳ ବୁଲିବାକୁ ଯାଇଥିଲେ । ତେବେ ତ୍ରିଶୂଳୀ ନଦୀ ନିକଟରେ ହଠାତ୍ ବନ୍ୟା ଆସିବାରୁ ପର୍ଯ୍ୟଟକ ଦଳ ଫସିଯାଇଥିଲେ ।

ଟୁନା ଦାଶଙ୍କ କହିବା ଅନୁସାରେ, ହଠାତ୍ ବନ୍ୟାଜଳ ମାଡ଼ି ଆସିବାରୁ ସେମାନେ ଗାଡ଼ି ବୁଲାଇ ପ୍ରାୟ ୭୦ କିଲୋମିଟର ପଛକୁ ଫେରିଥିଲେ । କିନ୍ତୁ ପଛପଟୁ ମଧ୍ୟ ବନ୍ୟାଜଳ ଓ କାଦୁଅ ମାଡ଼ି ଆସୁଥିଲା । ଶେଷରେ ସେମାନେ ମନକାମନା ମନ୍ଦିର ନିକଟରେ ଆଶ୍ରୟ ନେଇଥିଲେ । ପରିସ୍ଥିତି ଜଟିଳ ହୋଇଥିବା ବେଳେ ନେପାଳ ପୁଲିସ ଓ ପ୍ରଶାସନ ତତ୍ପରତା ଦେଖାଇଥିଲେ । ମନକାମନା ମନ୍ଦିର ନିକଟରୁ ରୋପ୍‌ୱେ ଯୋଗେ ସମସ୍ତଙ୍କୁ ଭୈରବା ସହରକୁ ଅଣାଯାଇଥିଲା ।

ଉଦ୍ଧାର ହୋଇଥିବା ଦଳରେ କେରଳର ୪୩ ଜଣ, ଟ୍ରାଭେଲର୍ସ ମାଲିକ କୈଳାସ ବିଶ୍ୱାଳ, ୫ ଜଣ ରୋଷେୟା, ଚାନ୍ଦବାଲିର ଟୁନା ଦାଶ ଏବଂ କୋଲକାତାର ସୌରଭ ବାନାର୍ଜୀ ରହିଥିଲେ । ନେପାଳର ବନ୍ୟା ମଧ୍ୟରେ ଜୀବନ ସୁରକ୍ଷିତ ଥିବା ନେଇ ପରିବାର ସହ ଫୋନ୍‌ରେ କଥା ହେବା ପରେ ଦୁଇ ପରିବାର ଆଶ୍ୱସ୍ତ ହୋଇଛନ୍ତି । ତେବେ ଏହି ଭାବବିହ୍ୱଳ ମୁହୂର୍ତ୍ତର ଏକ ଦୃଶ୍ୟ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । ମୋବାଇଲ୍‌ରେ ନିଜ ମାଲିକଙ୍କୁ ଦେଖି ପୋଷା କୁକୁରଟି ଖୁସିରେ ଭୋ-ଭୋ କରୁଥିବା ଦୃଶ୍ୟ ପରିବାରବର୍ଗଙ୍କୁ ଭାବବିହ୍ୱଳ କରିଦେଇଛି । ନେପାଳରେ ବନ୍ୟା ପରିସ୍ଥିତି ମଧ୍ୟରେ ଚାନ୍ଦବାଲିର ଦୁଇ ପର୍ଯ୍ୟଟକଙ୍କ ସୁରକ୍ଷିତ ଥିବା ଖବର ପରିବାର ସହ ସ୍ଥାନୀୟ ଲୋକଙ୍କୁ ମଧ୍ୟ ଆଶ୍ୱସ୍ତ କରିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial