ନବରଙ୍ଗପୁର: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଡମ୍ବରୁ ମାଝୀଙ୍କ ପରଲୋକ । ଗୁରୁତର ଅବସ୍ଥାରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁରେ ଚିକିତ୍ସାଧୀନ ଥିବାବେଳେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକ ପ୍ରକାଶ ପାଇଛି ।
ଡମ୍ବରୁ ମାଝୀଙ୍କ ଦେହାନ୍ତ ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝୀଙ୍କ ଦେହାନ୍ତ ଖବର ଜାଣି ସେ ଅତ୍ୟନ୍ତ ଦୁଃଖିତ । ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସେ ପ୍ରାର୍ଥନା କରିଛନ୍ତି । ଡମ୍ବରୁ ମାଝୀଙ୍କର ଦୀର୍ଘ ରାଜନୈତିକ ଜୀବନ ରହିଥିଲା । ୧୯୬୭ରୁ ୧୯୯୦ ମଧ୍ୟରେ ସେ ରାଜ୍ୟ ମନ୍ତ୍ରିମଣ୍ଡଳରେ ଚାରିଥର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ପରିବହନ, ଅର୍ଥ ଓ ସଂସ୍କୃତି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଦାୟିତ୍ୱ ମଧ୍ୟ ସମ୍ଭାଳିଥିଲେ ।
ସେ ତତ୍କାଳୀନ କୋଡିଙ୍ଗା ନିର୍ବାଚନମଣ୍ଡଳୀରୁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତାଙ୍କ ଦୀର୍ଘ ରାଜନୈତିକ ଯାତ୍ରାରେ ସ୍ୱତନ୍ତ୍ର ଦଳ, ଭାରତୀୟ ଜାତୀୟ କଂଗ୍ରେସ, ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟି ସହ ସେ ଜଡ଼ିତ ଥିଲେ । ୨୦୦୯ରେ ନବରଙ୍ଗପୁର ଲୋକସଭା ଆସନରୁ ବିଜେଡି ଟିକେଟରେ ନିର୍ବାଚନ ଲଢ଼ିଥିଲେ ଡମ୍ବରୁ ମାଝୀ । ତେବେ ଏହି ନିର୍ବାଚନରେ ସେ ପରାଜିତ ହୋଇଥିଲେ । ପରେ ୨୦୧୮ ଅକ୍ଟୋବରରେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ଦୀର୍ଘ ରାଜନୈତିକ ଅଭିଜ୍ଞତା ଓ ବିଭିନ୍ନ ସମୟରେ ରାଜ୍ୟ ମନ୍ତ୍ରିମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିବା ଡମ୍ବରୁ ମାଝୀଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି ।














Leave a Reply