ବାରବାଟୀରେ ବିଗ୍ ବ୍ୟାଟେଲ୍, ଜମିବ T20 ମହାସମର!

କଟକ: ପୁଣି କମ୍ପିବ ଐତିହାସିକ ବାରବାଟୀ ଷ୍ଟାଡିୟମ୍। ଜମିବ ଛକା-ଚୌକାର ରୋମାଞ୍ଚ ଓ T20ର ମହାସମର। ସେପ୍ଟେମ୍ବର ୨୦ରୁ ୨୯ ତାରିଖ ପର୍ଯ୍ୟନ୍ତ କଟକ ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବ ଓଡ଼ିଶା T20 ଲିଗ୍‌ର ଦ୍ୱିତୀୟ ସଂସ୍କରଣ। ଚଳିତବର୍ଷ ଲିଗ୍‌ରେ ନୂଆ ରୂପ ଦିଆଯାଇ CM ଟ୍ରଫି କରାଯାଇଛି। ଏହାର ଟ୍ରଫି ଓ ଲୋଗୋ ମଧ୍ୟ ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଛି। ଏହି କ୍ରିକେଟ୍ ମହାକୁମ୍ଭରେ ରାଜ୍ୟର ୬ଟି ଫ୍ରାଞ୍ଚାଇଜ୍ ମଧ୍ୟରେ ହେବ ଜୋରଦାର ଟକ୍କର। ମଇଦାନକୁ ଓହ୍ଲାଇବେ ଭୁବନେଶ୍ୱର ଟାଇଗର୍ସ, କଟକ ପ୍ୟାନ୍ଥର୍ସ, ପୁରୀ ଟାଇଟାନ୍ସ, ସମ୍ବଲପୁର ୱାରିଅର୍ସ, କେନ୍ଦୁଝର ମାଇନର୍ସ ଓ ରାଉରକେଲା ଷ୍ଟିଲର୍ସ। ଏହି ଦଳଗୁଡ଼ିକରେ ରାଜ୍ୟର ଉଦୀୟମାନ ଓ ଯୁବ କ୍ରିକେଟ୍ ପ୍ରତିଭାଙ୍କୁ ସୁଯୋଗ ମିଳିବ।

ଆସନ୍ତା ସେପ୍ଟେମ୍ବର ୬ ତାରିଖରେ ଖେଳାଳି ଡ୍ରାଫ୍ଟିଂ ଅନୁଷ୍ଠିତ ହେବ। ଏହା ପରେ ବିଭିନ୍ନ ଫ୍ରାଞ୍ଚାଇଜ୍‌ରେ ଖେଳାଳିଙ୍କ ଚୟନ ପ୍ରକ୍ରିୟା ସ୍ପଷ୍ଟ ହେବ। ରାଜ୍ୟର ଯୁବ ଓ ପ୍ରତିଭାବାନ କ୍ରିକେଟର୍‌ମାନଙ୍କୁ ଏକ ବଡ଼ ମଞ୍ଚ ଯୋଗାଇବା ସହ ସେମାନଙ୍କ ପ୍ରତିଭା ପ୍ରଦର୍ଶନର ସୁଯୋଗ ଦେବା ଲକ୍ଷ୍ୟରେ ଏହି ଲିଗ୍‌ର ଆୟୋଜନ କରୁଛି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍।ଓଡ଼ିଶା T20 ଲିଗ୍‌ର ଦ୍ୱିତୀୟ ସଂସ୍କରଣକୁ ନେଇ ଏବେଠାରୁ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। ବାରବାଟୀରେ ଯୁବ ପ୍ରତିଭାଙ୍କ ଦମଦାର ପ୍ରଦର୍ଶନ ସହ ୬ ଫ୍ରାଞ୍ଚାଇଜ୍‌ର ରୋମାଞ୍ଚକର ଲଢ଼େଇ ଦେଖିବାକୁ ମିଳିବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial