ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ: ମହାନଦୀ ଜଳ ବିବାଦ ନେଇ କେନ୍ଦ୍ର ସହ ବଡ଼ ଆଲୋଚନା

ଭୁବନେଶ୍ୱର: ମହାନଦୀ ଜଳ ବିବାଦକୁ ନେଇ ଆଜି ଦିଲ୍ଲୀ ଗସ୍ତ କରିବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶାର ଜଳ ସମ୍ପଦ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ନେଇ ସେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର୍. ପାଟିଲଙ୍କ ସହ ଆଲୋଚନା କରିବେ। ତେବେ ଏହି ଆଲୋଚନାରେ ଦୀର୍ଘଦିନ ଧରି ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଚାଲିଥିବା ମହାନଦୀ ଜଳ ବିବାଦ ପ୍ରମୁଖ ପ୍ରସଙ୍ଗ ହେବାର ସମ୍ଭାବନା ରହିଛି। ମହାନଦୀ ଜଳର ବଣ୍ଟନ ଓ ବ୍ୟବହାରକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗିରହିଛି। ଏହାର ସ୍ଥାୟୀ ସମାଧାନ ପାଇଁ ଉଭୟ ରାଜ୍ୟ ମଧ୍ୟରେ ଆଲୋଚନା ମାଧ୍ୟମରେ ସମାଧାନର ବାଟ ଖୋଜିବା ନେଇ କେନ୍ଦ୍ର ସରକାର ମଧ୍ୟ ଉଦ୍ୟମ କରିଆସୁଛନ୍ତି।

ଏହି କ୍ରମରେ ପୂର୍ବରୁ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କୁ ନେଇ ଆଲୋଚନା ହୋଇସାରିଛି। ଏବେ ପୁଣି ମହାନଦୀ ପ୍ରସଙ୍ଗକୁ ନେଇ କେନ୍ଦ୍ର ସହ ଆଲୋଚନା ହେବାକୁ ଥିବାରୁ ଏହି ଗସ୍ତ ଉପରେ ନଜର ରହିଛି। ମହାନଦୀ ବ୍ୟତୀତ ଓଡ଼ିଶାର ଜଳସମ୍ପଦ ସହ ଜଡ଼ିତ ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟ ବୈଠକରେ ସ୍ଥାନ ପାଇବାର ସମ୍ଭାବନା ରହିଛି। ଓଡ଼ିଶାର ସ୍ୱାର୍ଥ ଏବଂ ଜଳସମ୍ପଦର ସୁରକ୍ଷା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ଏହି ଦିଲ୍ଲୀ ଗସ୍ତକୁ ଗୁରୁତ୍ୱ ଦିଆଯାଉଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial