ରେଭେନ୍ସା ବିବାଦରେ ବଡ଼ ପଦକ୍ଷେପ: ‘ରୁଟା’ ସହ କୁଳପତିଙ୍କ ଆଲୋଚନା, ୨ ଦିନରେ ସମାଧାନ ଆଶ୍ୱାସନ

କଟକ: ବହୁ ବାଦବିବାଦ ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ ବିବାଦର ସମାଧାନ ପାଇଁ ଆରମ୍ଭ ହୋଇଛି ପ୍ରୟାସ । ଶେଷରେ ‘ରୁଟା’ ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି ବିଶ୍ୱବିଦ୍ୟାଳୟର କୁଳପତି । ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ବାହ୍ୟ ତଥା ରାଜନୈତିକ ହସ୍ତକ୍ଷେପ ରୋକିବା ପାଇଁ କୁଳାଧିପତି ଓ ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖିଥିବା କୁଳପତି ସୂଚନା ଦେଇଛନ୍ତି । ଏ ଦିଗରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଖୁବ୍‌ଶୀଘ୍ର ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯିବ ବୋଲି ‘ରୁଟା’ ସଦସ୍ୟମାନଙ୍କୁ କୁଳପତି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି ।

ସେପଟେ ରେଭେନ୍ସାର ରେସିଡେନ୍ସି କମିଟିକୁ ନେଇ ଦେଖାଦେଇଥିବା ବିବାଦ ମଧ୍ୟ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ରହିଥିଲା । ପୁରୁଣା ରେସିଡେନ୍ସି କମିଟି ସହ ଆଲୋଚନା ନକରି ନୂଆ କମିଟି ଗଠନ କରାଯାଇଥିବା ଅଭିଯୋଗ କରି ଏହାର ବିଜ୍ଞପ୍ତି ବାତିଲ କରିବାକୁ ‘ରୁଟା’ ପକ୍ଷରୁ ଦାବି କରାଯାଇଥିଲା । ଏହି ଦାବି ଉପରେ କୁଳପତିଙ୍କ ସହ ଆଲୋଚନା ହୋଇଛି । ଦାବିର ସମାଧାନ ପାଇଁ ଆସନ୍ତା ଦୁଇ ଦିନ ମଧ୍ୟରେ ପଦକ୍ଷେପ ନିଆଯିବ ବୋଲି କୁଳପତି ଆଶ୍ୱାସନ ଦେଇଛନ୍ତି । ଆବଶ୍ୟକ ହେଲେ ନୂଆ ଓ ପୁରୁଣା—ଉଭୟ ରେସିଡେନ୍ସି କମିଟିକୁ ନେଇ ଏକ ବୈଠକ ଡକାଯିବ । ବୈଠକରେ ଦୁଇ କମିଟିର ସମସ୍ତ ସଦସ୍ୟଙ୍କ ସହମତିରେ ବିବାଦର ସମାଧାନ ପାଇଁ ବାଟ ବାହାର କରାଯିବ ବୋଲି କୁଳପତି କହିଛନ୍ତି । ରେଭେନ୍ସାର ଆଭ୍ୟନ୍ତରୀଣ ବିବାଦକୁ ନେଇ ଲମ୍ବା ସମୟ ଧରି ଚାଲିଥିବା ଅସନ୍ତୋଷ ମଧ୍ୟରେ ‘ରୁଟା’ ସଦସ୍ୟଙ୍କ ସହ କୁଳପତିଙ୍କ ଆଲୋଚନା ଏବେ ସମାଧାନର ନୂଆ ଆଶା ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial