ବେଆଇନ ପଥର ଖାଦାନରେ ପ୍ରଶାସନର ରେଡ୍‌: ଜବତ ହେଲା ବିପୁଳ ବିସ୍ଫୋରକ ସାମଗ୍ରୀ

ବୌଦ୍ଧ: ବେଆଇନ ପଥର କ୍ୱାରିରେ ଚାଲିଥିଲା ବ୍ଲାଷ୍ଟିଂ । ଗ୍ରାମବାସୀଙ୍କ ଅଭିଯୋଗ ପରେ ଚଢ଼ାଉ କରିଛି ପ୍ରଶାସନ । ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅଧୀନ ଖରଭୂଇଁ ଗାଁର ଏକ ବେଆଇନ ପଥର କ୍ୱାରିରେ ରେଡ୍‌ କରାଯାଇ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଘଟଣାସ୍ଥଳରେ ହରଭଙ୍ଗା ଅତିରିକ୍ତ ତହସିଲଦାରଙ୍କ ସମେତ ଏକ ପ୍ଲାଟୁନ୍‌ ପୁଲିସ ଫୋର୍ସ ନିୟୋଜିତ ଅଛନ୍ତି ।

ସୂଚନା ଅନୁଯାୟୀ, ଖରଭୂଇଁ ମୌଜାର ଖାତା ନମ୍ବର-୨ ଓ ପ୍ଲଟ୍‌ ନମ୍ବର-୫୦ ଅଞ୍ଚଳରେ ଏକ ପଥର କ୍ୱାରିରେ ବେଆଇନ ଭାବେ ବ୍ଲାଷ୍ଟିଂ ଚାଲିଥିବା ନେଇ ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା । ଏହାକୁ ଆଧାର କରି ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶରେ ହରଭଙ୍ଗା ତହସିଲ ପକ୍ଷରୁ ଆଜି ଚଢ଼ାଉ କରାଯାଇଥିଲା । ଚଢ଼ାଉରେ ହରଭଙ୍ଗା ଅତିରିକ୍ତ ତହସିଲଦାର ସନ୍ଦୀପ ଧଳଙ୍କ ସମେତ ହରଭଙ୍ଗା ଥାନା ପୁଲିସ ସାମିଲ ହୋଇଥିଲେ । ଯାଞ୍ଚ ସମୟରେ କ୍ୱାରି ଅଞ୍ଚଳରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିବା ଜଣାପଡ଼ିଛି ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଏହି ପଥର କ୍ୱାରିଟି ଦୀର୍ଘଦିନ ଧରି ବିନା ପରିବେଶ ମଞ୍ଜୁରୀରେ ବେଆଇନ ଭାବେ ଚାଲୁଥିଲା । ଜନବସତିର ଅତି ନିକଟରେ ରାତିସାରା ପଥର ବ୍ଲାଷ୍ଟିଂ କରାଯାଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା । ସ୍ଥାନୀୟ ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢ଼ାଉ କରାଯାଇଥିବା ହରଭଙ୍ଗା ଅତିରିକ୍ତ ତହସିଲଦାର ସନ୍ଦୀପ ଧଳ କହିଛନ୍ତି । ଜବତ ବିସ୍ଫୋରକ ସାମଗ୍ରୀର ଉତ୍ସ, କ୍ୱାରି ପରିଚାଳନା ଏବଂ ବେଆଇନ ବ୍ଲାଷ୍ଟିଂ ପଛରେ କାହାର ସଂପୃକ୍ତି ରହିଛି, ସେନେଇ ପ୍ରଶାସନ ଓ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial