ଭୋଟର ତାଲିକାରେ ହେବ ବଡ଼ ସଂଶୋଧନ, ଘରକୁ ଘର ଯାଇ ସର୍ଭେ କରିବ ନିର୍ବାଚନ କମିସନ

ଭୁବନେଶ୍ୱର: ସହରାଞ୍ଚଳରେ ବୁଥ୍‌ ବ୍ୟବସ୍ଥାକୁ ନେଇ ଥିବା ଅବ୍ୟବସ୍ଥାରେ ଲାଗିବ ବ୍ରେକ୍‌। ଗୋଟିଏ ବୁଥ୍‌ରେ ଏକାଧିକ ଅଞ୍ଚଳର ଭୋଟର ରହିବା କିମ୍ବା ଗୋଟିଏ ୱାର୍ଡର ଭୋଟରଙ୍କୁ ଅନ୍ୟ ୱାର୍ଡରେ ଭୋଟ୍‌ ଦେବା ସମସ୍ୟାର ସମାଧାନ ପାଇଁ ଘରକୁ ଘର ସର୍ଭେ କରିବ ରାଜ୍ୟ ନିର୍ବାଚନ କମିସନ। ଏହାଦ୍ୱାରା ଯେଉଁ ୱାର୍ଡର ଯେତେ ଭୋଟର, ସେମାନେ ସେହି ୱାର୍ଡରେ ମତଦାନ କରିବାର ସୁଯୋଗ ପାଇବେ। ଏପରିକି ପରିବାରର ସମସ୍ତ ସଦସ୍ୟ ଗୋଟିଏ ବୁଥ୍‌ରେ ଭୋଟ୍‌ ଦେଇପାରିବେ। ରାଜ୍ୟବ୍ୟାପୀ ସର୍ଭେ ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ତିନିଟି ବିଧାନସଭା କ୍ଷେତ୍ରରେ ପାଇଲଟ୍‌ ସର୍ଭେ କରାଯିବ। ସେପ୍ଟେମ୍ବର ୩ରୁ ୧୧ ତାରିଖ ପର୍ଯ୍ୟନ୍ତ ଘରକୁ ଘର ବୁଲି ଏହି ସର୍ଭେ କରାଯିବ।

ଭୁବନେଶ୍ୱର-ଉତ୍ତର: ୱାର୍ଡ ନମ୍ବର ୧୦
ଭୁବନେଶ୍ୱର-ମଧ୍ୟ: ୱାର୍ଡ ନମ୍ବର ୩୫
ଭୁବନେଶ୍ୱର-ଏକାମ୍ର: ୱାର୍ଡ ନମ୍ବର ୫୨

ବୁଥ୍‌ ସ୍ତରୀୟ ଅଧିକାରୀ (BLO) ଓ ଅନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍‌ ଘରକୁ ଘର ଯାଇ ଭୋଟରଙ୍କ ତଥ୍ୟ ଯାଞ୍ଚ କରିବେ। ଆସନ୍ତାବର୍ଷ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନକୁ ନଜରରେ ରଖି ଅକ୍ଟୋବର ୨୬ରୁ ରାଜ୍ୟବ୍ୟାପୀ ଘରକୁ ଘର ସର୍ଭେ ଆରମ୍ଭ କରିବାକୁ ରାଜ୍ୟ ନିର୍ବାଚନ କମିସନ ନିଷ୍ପତ୍ତି ନେଇଛି। ଭୋଟର ତାଲିକାରେ ଥିବା ତ୍ରୁଟି, ବୁଥ୍‌ ପରିବର୍ତ୍ତନ ଓ ଭୋଟରଙ୍କ ଭୌଗୋଳିକ ସ୍ଥିତିକୁ ଯାଞ୍ଚ କରି ତାଲିକାକୁ ଅଧିକ ସ୍ୱଚ୍ଛ ଓ ନିର୍ଭୁଲ କରାଯିବ।

ବର୍ତ୍ତମାନ ସହରାଞ୍ଚଳର ଅନେକ ବିଧାନସଭା ବୁଥ୍‌ର ନିର୍ଦ୍ଦିଷ୍ଟ ଭୌଗୋଳିକ ପରିସୀମା ନଥିବାରୁ ଗୋଟିଏ ବୁଥ୍‌ରେ ୧୦ରୁ ୧୨ଟି ଅଲଗା ଅଞ୍ଚଳର ଭୋଟର ସାମିଲ ହୋଇ ରହିଛନ୍ତି। ଏପରିକି ଗୋଟିଏ ୱାର୍ଡର ଭୋଟରଙ୍କୁ ଅନ୍ୟ ୱାର୍ଡରେ ଯାଇ ମତଦାନ କରିବାକୁ ପଡ଼ୁଛି। ଏହା ଯୋଗୁଁ ଅନେକ ଭୋଟର ମତଦାନ କେନ୍ଦ୍ରକୁ ଯିବାରେ ଅନାଗ୍ରହ ପ୍ରକାଶ କରୁଥିବା କୁହାଯାଇଛି। ଗ୍ରାମାଞ୍ଚଳର କେତେକ ସ୍ଥାନରେ ମଧ୍ୟ ଭୋଟରଙ୍କ ବୁଥ୍‌ ପରିବର୍ତ୍ତନ ହେଉଥିବା ଅଭିଯୋଗ ରହିଛି। ନୂଆ ସର୍ଭେ ମାଧ୍ୟମରେ ଏହି ସମସ୍ୟାଗୁଡ଼ିକର ସମାଧାନ କରାଯିବ। ସର୍ଭେ ସମୟରେ BLO ଓ ଅନ୍ୟ କର୍ମଚାରୀଙ୍କୁ ସଠିକ୍‌ ତଥ୍ୟ ଦେବା ସହ ପୂର୍ଣ୍ଣ ସହଯୋଗ କରିବାକୁ ସାଧାରଣ ଲୋକଙ୍କୁ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ଏହି ଅଭିଯାନ ମାଧ୍ୟମରେ ଏକ ସ୍ୱଚ୍ଛ, ନିର୍ଭୁଲ ଓ ବ୍ୟବସ୍ଥିତ ଭୋଟର ତାଲିକା ପ୍ରସ୍ତୁତ ହେବା ସହ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ମତଦାନ ହାର ବୃଦ୍ଧି ପାଇବ ବୋଲି ରାଜ୍ୟ ନିର୍ବାଚନ କମିସନର ମଧୁସୂଦନ ପାଢ଼ୀ କହିଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial