ଖରା ଭଳି ତାତି ପରେ ପୁଣି ବର୍ଷାର ଟର୍ନ! ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ୧୧ରେ ଲଘୁଚାପ

ଭୁବନେଶ୍ୱର: ଖରାଦିନ ଭଳି ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଓଡ଼ିଶା ପାଇଁ ଆସୁଛି ବର୍ଷାର ଆଉ ଏକ ରାଉଣ୍ଡ। ପୁଣି ସକ୍ରିୟ ହେବାକୁ ଯାଉଛି ବଙ୍ଗୋପସାଗର। ସେପ୍ଟେମ୍ବର ୯ରୁ ୧୦ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ, ପରବର୍ତ୍ତୀ ସମୟରେ ଏହା ଲଘୁଚାପ କ୍ଷେତ୍ରର ରୂପ ନେଇପାରେ। ବିଶେଷ କରି ସେପ୍ଟେମ୍ବର ୧୧ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଉପକୂଳ ଓଡ଼ିଶା ନିକଟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆକଳନ କରାଯାଉଛି। ଏହାର ପ୍ରଭାବରେ ସେପ୍ଟେମ୍ବର ୧୦ରୁ ୧୨ ତାରିଖ ମଧ୍ୟରେ ରାଜ୍ୟରେ ବର୍ଷା ବଢ଼ିପାରେ। କେତେକ ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ। ଏବେ ପ୍ରାୟ ସପ୍ତାହେ ଧରି ରାଜ୍ୟରେ ଗୁଳୁଗୁଳି ସହ ପ୍ରବଳ ଗରମ ଅନୁଭୂତ ହେଉଥିବା ବେଳେ ପାଗରେ ପୁଣି ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି।

ବର୍ତ୍ତମାନ ସକ୍ରିୟ ରହିଛି ମୌସୁମୀ ନିମ୍ନଚାପ ରେଖା। ସମୁଦ୍ରରୁ ଓଡ଼ିଶା ଆଡ଼କୁ ପ୍ରଚୁର ଜଳୀୟବାଷ୍ପ ଆସୁଥିବାରୁ ବର୍ଷା ପାଇଁ ପାଗ ଅନୁକୂଳ ରହିଛି। ପାଣିପାଗ ମଡେଲ୍‌ର ଆକଳନ ଅନୁସାରେ, ସେପ୍ଟେମ୍ବର ୯ରୁ ୧୦ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଗଠନ ହୋଇପାରେ। ପରେ ଏହା ୧୦ରୁ ୧୧ ତାରିଖ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଦକ୍ଷିଣ ଉପକୂଳ ଓଡ଼ିଶା ନିକଟରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଧିକ ରହିଛି। ଏହି ସିଷ୍ଟମ୍ ଧୀରେ ଧୀରେ ପଶ୍ଚିମରୁ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଓଡ଼ିଶା ଦେଇ ଛତିଶଗଡ଼ ଏବଂ ମଧ୍ୟ ଭାରତ ଆଡ଼କୁ ଯାଇପାରେ। ଏହାର ପ୍ରଭାବରେ ସେପ୍ଟେମ୍ବର ୯ ତାରିଖରୁ ରାଜ୍ୟରେ ବର୍ଷା ବଢ଼ିପାରେ। ପ୍ରଥମେ ଉତ୍ତର ଓ ଉତ୍ତର ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବ। ପରେ ଲଘୁଚାପ ନିକଟତର ହେବା ସହ ଉପକୂଳ ଓ ମଧ୍ୟ ଓଡ଼ିଶାରେ ମଧ୍ୟ ବର୍ଷା ବଢ଼ିପାରେ। ଏହାପରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ମଧ୍ୟ ଲଘୁଚାପ ପ୍ରଭାବିତ କରିପାରେ।

ଆଗାମୀ ଦିନରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ବେଳେ କେତେକ ସ୍ଥାନରେ ୨୪ ଘଣ୍ଟାରେ ୧୦୦ ମିଲିମିଟର ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ। ତେଣୁ ଲଘୁଚାପର ଗତିପଥ ଓ ଏହାର ପ୍ରଭାବ ଉପରେ ପାଣିପାଗ ବିଭାଗ ନଜର ରଖିଛି। କେବଳ ସେପ୍ଟେମ୍ବର ୧୧ର ଲଘୁଚାପ ନୁହେଁ, ମାସର ଦ୍ୱିତୀୟାର୍ଦ୍ଧରେ ମଧ୍ୟ ବଙ୍ଗୋପସାଗର ପୁଣି ସକ୍ରିୟ ହେବାର ସଙ୍କେତ ମିଳୁଛି। ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ସେପ୍ଟେମ୍ବର ୧୭ରୁ ୨୦ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏଭଳି ଭାବେ ଆଗକୁ ଗୋଟିଏ ପରେ ଗୋଟିଏ ପାଣିପାଗ ପରିବର୍ତ୍ତନ ହେବାର ସମ୍ଭାବନା ଥିବାରୁ ଓଡ଼ିଶାରେ ବର୍ଷାର ପ୍ରଭାବ ଜାରି ରହିପାରେ। ତେବେ ଲଘୁଚାପର ପ୍ରକୃତ ଗତିପଥ ଓ ତୀବ୍ରତା ସ୍ପଷ୍ଟ ହେବା ପରେ ବର୍ଷାର ପରିମାଣ ଓ ପ୍ରଭାବ ନେଇ ଅଧିକ ଚିତ୍ର ସାମ୍ନାକୁ ଆସିବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial