ଦାରା ସିଂହଙ୍କ ମୁକ୍ତି ନେଇ କାହିଁକି ନିଷ୍ପତ୍ତି ନେଉନାହାନ୍ତି ସରକାର? ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ

ଭୁବନେଶ୍ୱର: ଦାରା ସିଂହଙ୍କ ଆଗୁଆ ମୁକ୍ତି ନେଇ ନିଷ୍ପତ୍ତି କରିବାରେ ବିଳମ୍ବକୁ ନେଇ ଓଡ଼ିଶା ସରକାରଙ୍କ ଉପରେ ଭୀଷଣ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଆବେଦନକୁ ଆଉ ଗଡ଼ାଇ ନନେଇ ଶୀଘ୍ର ନିଷ୍ପତ୍ତି ନେବାକୁ ରାଜ୍ୟକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ। ଆବେଦନ ଗ୍ରହଣ କରିବେ କିମ୍ବା ଖାରଜ କରିବେ, କିନ୍ତୁ ମାମଲାକୁ ଏଭଳି ଲମ୍ବାଇ ଚାଲିପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ୍ ଷ୍ଟେନ୍ସ ଏବଂ ତାଙ୍କ ଦୁଇ ନାବାଳକ ପୁଅଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂହ ଓରଫ ରବୀନ୍ଦ୍ର କୁମାର ପାଲଙ୍କ ଆଗୁଆ ମୁକ୍ତି ଆବେଦନ ଉପରେ ଶୁଣାଣି କରୁଥିଲେ ଜଷ୍ଟିସ୍ ମନୋଜ ମିଶ୍ର ଓ ଜଷ୍ଟିସ୍ ବିଜୟ ବିଷ୍ଣୋଇଙ୍କ ଖଣ୍ଡପୀଠ। ଶୁଣାଣି ସମୟରେ ରାଜ୍ୟ ପକ୍ଷର ଆଡଭୋକେଟ୍ ଅନ୍ ରେକର୍ଡ ଅସୁସ୍ଥ ଥିବା ଦର୍ଶାଇ ଆଉ ୪ ସପ୍ତାହ ସମୟ ମାଗିଥିଲେ ରାଜ୍ୟ ପକ୍ଷର ଓକିଲ। ହେଲେ ଏଥିରେ ଖଣ୍ଡପୀଠ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଜଷ୍ଟିସ୍ ମନୋଜ ମିଶ୍ର ରାଜ୍ୟ ପକ୍ଷ ଓକିଲଙ୍କୁ କହିଥିଲେ, “ମାମଲାକୁ କାହିଁକି ଗଡ଼ାଇ ଚାଲିଛନ୍ତି? ନିଷ୍ପତ୍ତି ନିଅନ୍ତୁ, ଗ୍ରହଣ କରନ୍ତୁ କିମ୍ବା ଖାରଜ କରନ୍ତୁ।” ଏଭଳି ଭାବେ ଆଉ ମାମଲା ଚାଲିପାରିବ ନାହିଁ ବୋଲି ମଧ୍ୟ ଖଣ୍ଡପୀଠ ସ୍ପଷ୍ଟ କରିଥିଲେ।

ଶୁଣାଣି ସମୟରେ ସୁପ୍ରିମକୋର୍ଟ ଅଗଷ୍ଟ ୧୯ର ପୂର୍ବ ଆଦେଶକୁ ମନେ ପକାଇଥିଲେ। ସେତେବେଳେ ରାଜ୍ୟ ପକ୍ଷରୁ ଦାରା ସିଂହଙ୍କ ଆବେଦନକୁ ରାଜ୍ୟ ଦଣ୍ଡାଦେଶ ସମୀକ୍ଷା ବୋର୍ଡ ବିଚାର କରୁଥିବା କୋର୍ଟଙ୍କୁ ଜଣାଯାଇଥିଲା। ଏହା ଉପରେ ନିଷ୍ପତ୍ତି ନେବାକୁ ସେତେବେଳେ କୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ପ୍ରାୟ ଦୁଇ ବର୍ଷ ଧରି ମାମଲା ବାରମ୍ବାର ଘୁଞ୍ଚି ଚାଲିଥିବାରୁ ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ କରିଥିଲେ। ରାଜ୍ୟ ପକ୍ଷରୁ ମାମଲାକୁ ସେପ୍ଟେମ୍ବର ୧୭ରେ ବିଚାର କରିବାକୁ ଅନୁରୋଧ କରାଯାଇଥିଲା। ଏଥିରେ ଜଷ୍ଟିସ୍ ବିଜୟ ବିଷ୍ଣୋଇ କହିଥିଲେ, “ଆପଣମାନେ ଏଭଳି ଚାଲିପାରିବେ ନାହିଁ।” ନିଷ୍ପତ୍ତି ନେବା ଦାୟିତ୍ୱ କାହାର ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ରାଜ୍ୟ ପକ୍ଷ ଓକିଲ କହିଥିଲେ ଯେ, ଏ ସମ୍ପର୍କରେ ତାଙ୍କ ପାଖରେ କୌଣସି ନିର୍ଦ୍ଦେଶ ନାହିଁ।ଏହାପରେ କୋର୍ଟ କଡ଼ା ଚେତାବନୀ ଦେଇ କହିଥିଲେ, “ଆମେ ମାମଲାକୁ ଘୁଞ୍ଚାଉ ନାହୁଁ। ନିର୍ଦ୍ଦେଶ ନେଇ ଆସନ୍ତୁ, ନଚେତ୍ ଆମେ ଆପଣଙ୍କ ସଚିବଙ୍କୁ ସମନ କରିବୁ।”

ଶେଷରେ ମାମଲାକୁ ସେପ୍ଟେମ୍ବର ୧୭ରେ ତାଲିକାଭୁକ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ ୧୯ର ଆଦେଶ ଅନୁସାରେ ଦାରା ସିଂହଙ୍କ ଆଗୁଆ ମୁକ୍ତି ଆବେଦନ ଉପରେ କ’ଣ ନିଷ୍ପତ୍ତି ନିଆଯାଇଛି, ତାହା ସେପ୍ଟେମ୍ବର ୧୭ରେ କୋର୍ଟଙ୍କୁ ଜଣାଇବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି। ନିଷ୍ପତ୍ତି ନହେଲେ ରାଜ୍ୟର ଅଧିକାରୀଙ୍କୁ କୋର୍ଟକୁ ଡକାଯାଇପାରେ ବୋଲି ମଧ୍ୟ ଖଣ୍ଡପୀଠ ସତର୍କ କରାଇଛନ୍ତି। ପୂର୍ବ ଶୁଣାଣିରେ ମଧ୍ୟ Sentence Review Boardକୁ ସୁପ୍ରିମକୋର୍ଟ ଶେଷ ସୁଯୋଗ ଦେଇଥିଲେ। ନିଷ୍ପତ୍ତି ନହେଲେ ପରବର୍ତ୍ତୀ ଶୁଣାଣିରେ କୋର୍ଟ ନିଜେ ନିଷ୍ପତ୍ତି ନେଇପାରନ୍ତି ବୋଲି ମୌଖିକ ଭାବେ କହିଥିଲେ।

ଦାରା ସିଂହଙ୍କ ଯୁକ୍ତି ହେଉଛି, ସେ ୨୫ ବର୍ଷରୁ ଅଧିକ ସମୟ ଜେଲରେ କାଟିସାରିଛନ୍ତି। ରାଜ୍ୟର remission policy ଅନୁସାରେ ତାଙ୍କ ଆଗୁଆ ମୁକ୍ତି ବିଚାର କରାଯାଇପାରିବ ବୋଲି ସେ ନିଜ ଆବେଦନରେ ଦର୍ଶାଇଛନ୍ତି। ୧୯୯୯ ଜାନୁଆରୀ ୨୨ରେ କେନ୍ଦୁଝର ଜିଲ୍ଲାର ମନୋହରପୁରରେ ଘଟିଥିଲା ବହୁଚର୍ଚ୍ଚିତ ଗ୍ରାହାମ୍ ଷ୍ଟେନ୍ସ ହତ୍ୟାକାଣ୍ଡ। ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ୍ ଷ୍ଟେନ୍ସ ଏବଂ ତାଙ୍କ ଦୁଇ ପୁଅ ଫିଲିପ୍ (୧୦) ଓ ଟିମୋଥି (୬) ଏକ ଗାଡ଼ିରେ ଥିବାବେଳେ ଦାରା ସିଂହଙ୍କ ନେତୃତ୍ୱରେ ଏକ ଉତ୍ତ୍ୟକ୍ତ ଭିଡ଼ ଗାଡ଼ିରେ ନିଆଁ ଲଗାଇଦେଇଥିଲା। ଏହି ଘଟଣାରେ ତିନିଜଣଙ୍କ ମୃତ୍ୟୁ ହୋଇଥିଲା। ଏବେ ଦାରା ସିଂହଙ୍କ ଆଗୁଆ ମୁକ୍ତି ଆବେଦନ ଉପରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ନେଇ ସୁପ୍ରିମକୋର୍ଟଙ୍କ ନଜର ରହିଛି। ସେପ୍ଟେମ୍ବର ୧୭ର ଶୁଣାଣିରେ ରାଜ୍ୟ ପକ୍ଷରୁ କ’ଣ ନିଷ୍ପତ୍ତି ନିଆଯାଇଛି, ତାହା ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial