ଟାଙ୍ଗୀ: ପୁରୀରେ ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ। ୧୬ ନମ୍ବର ଜାତୀୟ ରାଜପଥର ଟାଙ୍ଗୀ-ଚାନ୍ଦପୁର ବାଇପାସ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ ଡିଭାଇଡରରେ ପିଟି ହୋଇଛି ତୀର୍ଥଯାତ୍ରୀଙ୍କ ବସ୍। ଏହି ଦୁର୍ଘଟଣାରେ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ରାତି ପ୍ରାୟ ୧ଟା ସମୟରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣାଗ୍ରସ୍ତ ବସ୍ର ନାମ ‘ହରପ୍ରିୟା’ ବୋଲି ଜଣାପଡ଼ିଛି। ବସ୍ରେ ୩୦ରୁ ଅଧିକ ଯାତ୍ରୀ ଥିଲେ। ସୌଭାଗ୍ୟବଶତଃ ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ବୁଢ଼ାଆମ୍ବ ଅଞ୍ଚଳର ୩୦ରୁ ଅଧିକ ତୀର୍ଥଯାତ୍ରୀ ‘ହରପ୍ରିୟା’ ବସ୍ ଯୋଗେ ପୁରୀ ଯାଇଥିଲେ। ଶ୍ରୀଜଗନ୍ନାଥଙ୍କ ଦର୍ଶନ ସାରି ସମସ୍ତେ ଘରକୁ ଫେରୁଥିବା ସମୟରେ ଟାଙ୍ଗୀ-ଚାନ୍ଦପୁର ବାଇପାସ ନିକଟରେ ବସ୍ଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଥିଲା। ଦୁର୍ଘଟଣାରେ ୫ ଜଣ ଯାତ୍ରୀ ଆହତ ହୋଇଥିଲେ।ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ଟାଙ୍ଗୀ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଅଗ୍ନିଶମ ବାହିନୀର ଯବାନମାନେ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଚାନ୍ଦପୁର ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ଆହତମାନଙ୍କୁ ହସ୍ପିଟାଲରୁ ଛାଡ଼ି ଦିଆଯାଇଛି। ଏପଟେ ଖବର ପାଇ ଚାନ୍ଦପୁର ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ କରୁଛି। ବସ୍ଟି କେଉଁ କାରଣରୁ ଭାରସାମ୍ୟ ହରାଇଲା, ସେନେଇ ତଦନ୍ତ ପରେ ସ୍ପଷ୍ଟ ହେବ।














Leave a Reply