କେନ୍ଦ୍ରାପଡ଼ା: ସୁଧାର ଗୃହରେ ନାବାଳିକା ଅନ୍ତେବାସୀ ଗର୍ଭବତୀ ହେବାକୁ ନେଇ ସାମ୍ନାକୁ ଆସିଛି ସଙ୍ଗିନ ଅଭିଯୋଗ। କେନ୍ଦ୍ରାପଡ଼ା ସଦର ଥାନା ଗରାପୁର ଅଞ୍ଚଳରେ ଥିବା ଏକ ସୁଧାର ଗୃହରେ ରହୁଥିବା ଝାଡ଼ଖଣ୍ଡର ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା କରାଯାଇ ଗର୍ଭବତୀ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଛି।ଗିରଫ ଦୁଇଜଣଙ୍କ ମଧ୍ୟରୁ ଜଣେ ସମ୍ପୃକ୍ତ ସୁଧାର ଗୃହର ସୁରକ୍ଷାକର୍ମୀ ହୋଇଥିବା ବେଳେ ଅନ୍ୟଜଣେ ସେଠାରେ ରହୁଥିବା ନାବାଳକ ଅନ୍ତେବାସୀ ବୋଲି ଜଣାପଡ଼ିଛି। ପୀଡ଼ିତା ନାବାଳିକାଙ୍କ ପରିବାର ପକ୍ଷରୁ କେନ୍ଦ୍ରାପଡ଼ା ସଦର ଥାନାରେ ଏନେଇ ଅଭିଯୋଗ କରାଯାଇଛି। ଘଟଣା ସାମ୍ନାକୁ ଆସିବା ପରେ ସୁଧାର ଗୃହରେ ଥିବା ଅନ୍ୟ ଅନ୍ତେବାସୀମାନଙ୍କୁ ପ୍ରଶାସନ ପକ୍ଷରୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଏହାସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ପୁଲିସ ସହ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଏବଂ ଶିଶୁ ମଙ୍ଗଳ କମିଟି ପକ୍ଷରୁ ମଧ୍ୟ ତଦନ୍ତ କରାଯାଉଛି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁଙ୍କ ସୂଚନା ଅନୁଯାୟୀ, ତଦନ୍ତ ପରେ ସମ୍ପୃକ୍ତ ସୁଧାର ଗୃହର ରେଜିଷ୍ଟ୍ରେସନ୍ ବାତିଲ କରାଯିବା ନେଇ ପଦକ୍ଷେପ ନିଆଯାଇପାରେ।
ସୂଚନା ଅନୁଯାୟୀ, ୨୦୨୩ ମସିହାରେ ପ୍ରଶାସନ ପକ୍ଷରୁ ଉଦ୍ଧାର ହେବା ପରେ ସମ୍ପୃକ୍ତ ନାବାଳିକାଙ୍କୁ ଏହି ସୁଧାର ଗୃହରେ ରଖାଯାଇଥିଲା। ପରେ ତାଙ୍କ ପରିବାର ସମ୍ପର୍କରେ ସୂଚନା ମିଳିବା ପରେ ଗତ ଜୁନ୍ ୨୬ ତାରିଖରେ ଶିଶୁ ମଙ୍ଗଳ କମିଟି ନାବାଳିକାଙ୍କୁ ସାଙ୍ଗରେ ନେଇ ଝାଡ଼ଖଣ୍ଡରେ ଥିବା ତାଙ୍କ ପରିବାର ନିକଟରେ ଛାଡ଼ି ଆସିଥିଲା। ତେବେ ଘରକୁ ଫେରିବାର କିଛି ଦିନ ପରେ ନାବାଳିକା ଗର୍ଭବତୀ ଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ। ଏନେଇ ସେମାନେ ସ୍ଥାନୀୟ ଶିଶୁ ମଙ୍ଗଳ ଅଧିକାରୀଙ୍କୁ ଅବଗତ କରିଥିଲେ। ପରେ ଘଟଣା ସମ୍ପର୍କରେ କେନ୍ଦ୍ରାପଡ଼ା ପୁଲିସକୁ ଜଣାଇ ଅଭିଯୋଗ କରାଯାଇଥିଲା। ଘଟଣା ପରେ ସୁଧାର ଗୃହ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ନାବାଳିକା ଦୀର୍ଘ ସମୟ ଧରି ସୁଧାର ଗୃହରେ ରହିଥିବା ବେଳେ ଏଭଳି ଅଭିଯୋଗ କିପରି ସାମ୍ନାକୁ ଆସିଲା, ସେନେଇ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଯାଞ୍ଚ କରୁଛନ୍ତି। ଘଟଣାରେ ସୁଧାର ଗୃହ କର୍ତ୍ତୃପକ୍ଷଙ୍କ ଅବହେଳା ଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ସୁଧାର ଗୃହ ପରିଚାଳନାରେ ଅବହେଳା ହୋଇଥିଲେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ବିରୋଧରେ ମଧ୍ୟ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ଏବେ ପୁଲିସ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଶିଶୁ ମଙ୍ଗଳ କମିଟିର ତଦନ୍ତ ପରେ ଘଟଣାର ପୂରା ସତ୍ୟ ସାମ୍ନାକୁ ଆସିବ।














Leave a Reply