ଭୁବନେଶ୍ୱର: ଦୁଇ ଦିନର ଖୋଜାଖୋଜି ପରେ କୁଆଖାଇ ନଦୀରୁ ମିଳିଲା ନିଖୋଜ ଅଟୋ ଡ୍ରାଇଭରଙ୍କ ମୃତଦେହ। ବାଙ୍କୁଆଳ ନିକଟ କୁଆଖାଇ ନଦୀରୁ ଓଲ୍ଡ ଟାଉନ ହରଚଣ୍ଡୀ ସାହିର ସଞ୍ଜୟ ସ୍ୱାଇଁଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଚାଲିଥିବା ସର୍ଚ୍ଚ ଅପରେସନ୍ ବେଳେ ତାଙ୍କ ମୃତଦେହ ମିଳିଥିଲା।
ସୂଚନା ଅନୁସାରେ, ସୋମବାର ରାତିରୁ ସଞ୍ଜୟ ନିଖୋଜ ଥିଲେ। ଟଙ୍କପାଣି ବ୍ରିଜ୍ ଉପରେ ତାଙ୍କ ଅଟୋ ଓ ମୋବାଇଲ୍ ମିଳିବା ପରେ ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଥିଲା। ଅଟୋ ନିକଟରେ ଚପଲ ମଧ୍ୟ ପଡ଼ିଥିବା ଦେଖାଯାଇଥିଲା। ଏହାପରେ ବାଲିଅନ୍ତା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଟୋଟିକୁ ଜବତ କରିଥିଲା। ଘଟଣାର ଆଉ ଏକ ଦୁଃଖଦ ସଂଯୋଗ ସାମ୍ନାକୁ ଆସିଛି। ଦୁଇ ଦିନ ତଳେ ସଞ୍ଜୟଙ୍କ ପୁତୁରା ମଧ୍ୟ ଏହି ଅଞ୍ଚଳରେ ଜୀବନ ହାରାଇଥିଲେ। ଏବେ ସେହି ସମାନ ସ୍ଥାନ ନିକଟରୁ ଦାଦା ସଞ୍ଜୟଙ୍କ ମୃତଦେହ ମିଳିଛି। ଏହି ଘଟଣାକୁ ନେଇ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଅନୁଯାୟୀ, ସଞ୍ଜୟ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ପାରିବାରିକ କଳହ ହୋଇଥିବା କୁହାଯାଉଛି। ଏହାକୁ ନେଇ ସେ ମାନସିକ ଭାବେ ଚାପଗ୍ରସ୍ତ ଥିବା ଏବଂ ଏହି କାରଣରୁ ଏଭଳି ଚରମ ପଦକ୍ଷେପ ନେଇଥିବା ପୁଲିସ ସନ୍ଦେହ କରୁଥିବା ସୂଚନା ମିଳିଛି। ତେବେ ଘଟଣାର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ। ଅଟୋଟି ଯାଞ୍ଚ କରିବା ପରେ ଏହା ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ନାମରେ ପଞ୍ଜୀକୃତ ଥିବା ଜଣାପଡ଼ିଥିଲା। ସଞ୍ଜୟଙ୍କ ନିଖୋଜ ହେବା ପରଠାରୁ କୁଆଖାଇ ନଦୀରେ ଅଗ୍ନିଶମ ବାହିନୀ ବୋଟ୍ ସାହାଯ୍ୟରେ ବ୍ୟାପକ ଖୋଜାଖୋଜି ଜାରି ରଖିଥିଲା। ଶେଷରେ ଆଜି ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀର ମିଳିତ ଅପରେସନ୍ ବେଳେ ସଞ୍ଜୟଙ୍କ ମୃତଦେହ ଉଦ୍ଧାର ହୋଇଛି।














Leave a Reply