ଭଦ୍ରକ: ପାରିବାରିକ କଳହକୁ ନେଇ ଅଭାବନୀୟ ଘଟଣା। ବାପାଙ୍କ ଆକ୍ରମଣରେ ପୁଅଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଚୁନିଦା ଅଞ୍ଚଳରେ ଏଭଳି ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି।
ସୂଚନା ଅନୁସାରେ, ଚୁନିଦା ଅଞ୍ଚଳର ରବି ସାହୁ ଓ ତାଙ୍କ ପୁଅ ବିକାଶ ସାହୁଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବିବାଦ ରହିଥିଲା। ବୁଧବାର ସକାଳେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ବେଳେ ପରେ ରବି ତାଙ୍କ ବୋହୂଙ୍କୁ ଘର ଭିତରେ ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି। ଏହାପରେ ବିକାଶଙ୍କ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଆକ୍ରମଣରେ ବିକାଶ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ବିକାଶଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଗ୍ରାମବାସୀ ମୃତକଙ୍କ ବାପା ରବି ସାହୁଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। ତେବେ ଘଟଣାର ପ୍ରକୃତ କାରଣ ଓ ଆକ୍ରମଣ ପଛରେ ଥିବା ପରିସ୍ଥିତି ନେଇ ପୁଲିସର ତଦନ୍ତ ଜାରି ରହିଛି।














Leave a Reply