ଓଡ଼ିଶାରେ ପୁଣି ବର୍ଷା! ଆଜିଠୁ ବଢ଼ିବ ପରିମାଣ, ବଙ୍ଗୋପସାଗରରେ ଆସୁଛି ଲଘୁଚାପ

ଭୁବନେଶ୍ୱର: ପ୍ରବଳ ଗରମ ଓ ଗୁଳୁଗୁଳି ପରେ ପୁଣି ବଦଳିବ ଓଡ଼ିଶାର ପାଣିପାଗ। ରାଜ୍ୟରେ ଆଜିଠୁ ବଢ଼ିପାରେ ବର୍ଷାର ପରିମାଣ। ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ବଢ଼ିବା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ସମୁଦ୍ରରୁ ଓଡ଼ିଶା ଆଡ଼କୁ ପ୍ରଚୁର ଜଳୀୟବାଷ୍ପ ଆସୁଥିବାରୁ ବର୍ଷା ପାଇଁ ପାଗ ଅନୁକୂଳ ରହିଛି। ପାଣିପାଗ ମଡେଲ୍‌ର ଆକଳନ ଅନୁସାରେ, ଆଜି ନହେଲେ କାଲି ମଧ୍ୟରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ପରବର୍ତ୍ତୀ ସମୟରେ ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି।

ସମ୍ଭାବ୍ୟ ଲଘୁଚାପ କ୍ଷେତ୍ର ଧୀରେ ଧୀରେ ପଶ୍ଚିମରୁ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଓଡ଼ିଶା ଦେଇ ଛତିଶଗଡ଼ ଏବଂ ମଧ୍ୟ ଭାରତ ଆଡ଼କୁ ଯାଇପାରେ। ଏହାର ପ୍ରଭାବ ପ୍ରଥମେ ଉତ୍ତର ଓ ଉତ୍ତର ଉପକୂଳ ଓଡ଼ିଶାରେ ଅନୁଭୂତ ହେବ। ପରେ ଲଘୁଚାପ ନିକଟତର ହେବା ସହ ଉପକୂଳ ଓ ମଧ୍ୟ ଓଡ଼ିଶାରେ ବର୍ଷା ବଢ଼ିପାରେ। ଏହାପରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶା ମଧ୍ୟ ପ୍ରଭାବିତ ହୋଇପାରେ। ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ଥିବାବେଳେ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏପରିକି ୨୪ ଘଣ୍ଟା ମଧ୍ୟରେ କିଛି ସ୍ଥାନରେ ୧୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। କେବଳ ଏତିକି ନୁହେଁ, ପାଣିପାଗ ବିଭାଗର ଆକଳନ ଅନୁସାରେ ସେପ୍ଟେମ୍ବର ୧୭ରୁ ୨୦ ମଧ୍ୟରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଫଳରେ ଆଗକୁ ମଧ୍ୟ ରାଜ୍ୟରେ ବର୍ଷାର ପ୍ରଭାବ ଜାରି ରହିବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial