ଭଦ୍ରକ: ଭଦ୍ରକ ଚାନ୍ଦବାଲି ମୁଖ୍ୟରାସ୍ତା ଚନ୍ଦନପୁର ଛକରେ ଥିବା ତାରିଣୀ ମନ୍ଦିରରୁ ବଡ଼ ଧରଣର ଚୋରି ଅଭିଯୋଗ। ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ମନ୍ଦିରରେ ପଶି ମାଆଙ୍କ ସୁନା ଓ ରୁପା ଅଳଙ୍କାର ସହ ଭେଟି ବାକ୍ସରୁ ଟଙ୍କା ଚୋରି କରିନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଦୁର୍ବୃତ୍ତ ପ୍ରଥମେ ମନ୍ଦିରର ମୁଖ୍ୟ ଗେଟ୍ର ତାଲା ଭାଙ୍ଗିଥିଲା। ଏହାପରେ ଭିତର ଦ୍ୱାରର ତାଲାକୁ ମଧ୍ୟ କାଟି ମନ୍ଦିର ଭିତରକୁ ପଶିଥିବା ଜଣାପଡ଼ିଛି।ମନ୍ଦିରରୁ ମାଆଙ୍କ ମଥାମଣି, ରୁପା ମକୁଟ, ସୁନା ଚିତା, ସୁନା ଓ ରୁପା ଆଖି, ସୁନା-ରୁପା ହାର ଭଳି ବିଭିନ୍ନ ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି।
କେବଳ ଅଳଙ୍କାର ନୁହେଁ, ଦୁର୍ବୃତ୍ତ ମନ୍ଦିରର ଭେଟି ବାକ୍ସର ତାଲା ମଧ୍ୟ କାଟି ଦେଇଥିବା ଅଭିଯୋଗ ହୋଇଛି। ବାକ୍ସ ଭିତରେ ଥିବା ଟଙ୍କା ମଧ୍ୟ ଚୋରି କରିନେଇଥିବା ଜଣାପଡ଼ିଛି। ଆଜି ଭୋର ପ୍ରାୟ ୪ଟା ସମୟରେ ମନ୍ଦିର ପାଇଁ ଫୁଲ ତୋଳିବାକୁ ଯାଇଥିବା ଜଣେ ବ୍ୟକ୍ତି ମନ୍ଦିରର ଗେଟ୍ ଖୋଲା ଥିବା ଦେଖିଥିଲେ। ପରେ ଘଟଣା ସମ୍ପର୍କରେ ଆଖପାଖ ଅଞ୍ଚଳରେ ଜଣାପଡ଼ିଥିଲା। ଘଟଣା ନେଇ ଚାନ୍ଦବାଲି ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ଚୋରି ପଛରେ କିଏ ରହିଛି ଏବଂ ଚୋରି ହୋଇଥିବା ଅଳଙ୍କାର ଓ ଟଙ୍କା କେଉଁଠି ଅଛି, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।














Leave a Reply