ଭୁବନେଶ୍ୱର: ନିଆଳି ଅଞ୍ଚଳରେ ବିଦ୍ୟୁତ ସେବାକୁ ନେଇ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ନିଆଳି ଅଞ୍ଚଳରେ ଟାଟା ପାୱାର ଦ୍ୱାରା ପରିଚାଳିତ ବିଦ୍ୟୁତ ସଞ୍ଚାରଣ ବ୍ୟବସ୍ଥା ଓ ସେବାର ସମୀକ୍ଷା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ନିଆଳିର ବିଧାୟକ ଶ୍ରୀ ଛବି ମଲ୍ଲିକଙ୍କ ସମେତ ଟାଟା ପାୱାରର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଅଞ୍ଚଳରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସହ ବିଦ୍ୟୁତ ସମସ୍ୟାର ସ୍ଥାୟୀ ସମାଧାନ ଉପରେ ବୈଠକରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ସମସ୍ତ ଭିତ୍ତିଭୂମି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଶକ୍ତିମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ବିଶେଷକରି ସମଗ୍ର ଅଞ୍ଚଳର ପ୍ରମୁଖ ୩୩ କେଭି (33KV) ବିଦ୍ୟୁତ ସଞ୍ଚାରଣ ଲାଇନ୍ ନେଟୱାର୍କର ସମ୍ପୂର୍ଣ୍ଣ ସଂସ୍କାର, ନିରନ୍ତର ବିଦ୍ୟୁତ ଯୋଗାଣ ଏବଂ କ୍ଷମତା ବୃଦ୍ଧିକୁ ପ୍ରାଥମିକତା ଦେବାକୁ କୁହାଯାଇଛି। ନିରବିଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବାକୁ ଏବି (Air Break) ସ୍ୱିଚ୍ ଏବଂ ପାୱାର ଡିଷ୍ଟ୍ରିବ୍ୟୁସନ୍ ଟ୍ରାନ୍ସଫର୍ମରଗୁଡ଼ିକର ଯାନ୍ତ୍ରିକ ମରାମତି ଓ ନବୀକରଣ କାର୍ଯ୍ୟ ଯଥାଶୀଘ୍ର ଶେଷ କରିବାକୁ ଟାଟା ପାୱାର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସର୍ଟ ସର୍କିଟ୍ ଏବଂ ଅପ୍ରତ୍ୟାଶିତ ବିଦ୍ୟୁତ କାଟକୁ ରୋକିବା ପାଇଁ ଟ୍ରାନ୍ସଫର୍ମର ଓ ଟ୍ରାନ୍ସମିସନ୍ ଲାଇନ୍ ଆଖପାଖରେ ଥିବା ଲତା ଓ ବୃକ୍ଷରାଜିକୁ ତୁରନ୍ତ ସଫା କରାଯିବ। ଏଥିପାଇଁ ଏକ ସ୍ୱତନ୍ତ୍ର ରକ୍ଷଣାବେକ୍ଷଣ ଅଭିଯାନ ଆରମ୍ଭ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।
ବିଦ୍ୟୁତ ଗ୍ରାହକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଅଞ୍ଚଳର ପ୍ରତ୍ୟେକ ଘରୋଇ ଗ୍ରାହକଙ୍କ କ୍ଷେତ୍ରରେ ବିଦ୍ୟୁତ ଆର୍ଥିଂ (Earthing) ସୁରକ୍ଷା ମାନଦଣ୍ଡର କଡ଼ାକଡ଼ି ପାଳନ ବାଧ୍ୟତାମୂଳକ କରିବାକୁ ଶକ୍ତିମନ୍ତ୍ରୀ କହିଛନ୍ତି। ଭିତ୍ତିଭୂମି କାର୍ଯ୍ୟର ଗୁଣବତ୍ତା ଓ ଅଗ୍ରଗତି ଉପରେ କଡ଼ା ନଜର ରଖାଯିବ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି। ନିଆଳି ଅଞ୍ଚଳରେ ଚାଲିଥିବା ନବୀକରଣ କାର୍ଯ୍ୟର ଅଗ୍ରଗତି ଯାଞ୍ଚ ପାଇଁ ଉପମୁଖ୍ୟମନ୍ତ୍ରୀ ଯେକୌଣସି ସମୟରେ ନିଆଳି ଗସ୍ତ କରିପାରନ୍ତି। ଭୂମିପୃଷ୍ଠରେ ଚାଲିଥିବା କାର୍ଯ୍ୟର ଆକସ୍ମିକ ସମୀକ୍ଷା ଓ ଅନୁଧ୍ୟାନ କରାଯିବ ବୋଲି ସେ ସୂଚାଇଛନ୍ତି। ଏହାଦ୍ୱାରା ନିଆଳି ଅଞ୍ଚଳରେ ବିଦ୍ୟୁତ ଭିତ୍ତିଭୂମି ସୁଦୃଢ଼ ହେବା ସହ ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ଓ ସୁରକ୍ଷିତ ବିଦ୍ୟୁତ ସେବା ଯୋଗାଇବା ଉପରେ ଗୁରୁତ୍ୱ ରହିବ।














Leave a Reply