ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଖଡ଼ଭାଗ ନିକଟରେ ଆଜି ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ରାସ୍ତାକଡ଼ରେ ଫୁଲ ତୋଳିବାକୁ ଆସିଥିବା ଦୁଇ ମହିଳାଙ୍କ ଉପରେ ଟ୍ରକ୍ ଚଢ଼ିଯିବାରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଖଡ଼ଭାଗ ନିକଟରେ ରାସ୍ତାକଡ଼ରେ ଏକ କାର୍ ଛିଡ଼ା ହୋଇଥିଲା। ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍ ପ୍ରଥମେ କାର୍ଟିକୁ ଧକ୍କା ଦେଇଥିଲା। ଏହାପରେ ଟ୍ରକ୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଫୁଲ ତୋଳୁଥିବା ଦୁଇ ମହିଳାଙ୍କ ଉପରେ ଚଢ଼ିଯାଇଥିଲା।
ଦୁର୍ଘଟଣାରେ ଖଡ଼ଭାଗ ଗାଁର ଅହଲ୍ୟା ଗୌଡ଼ଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ସ୍ଥାନୀୟ ଭାବେ ଚିକିତ୍ସା କରାଯିବା ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତାହତଙ୍କ ପରିବାର ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଥିବା ବେଳେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଖବର ପାଇ ଆସିକା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ସମ୍ପର୍କରେ ଛାନଭିନ୍ ଆରମ୍ଭ କରିଛି। ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ହଟାଇବା ସହ ଦୁର୍ଘଟଣାର ପ୍ରକୃତ କାରଣ କ’ଣ ଏବଂ କେଉଁ ପରିସ୍ଥିତିରେ ଟ୍ରକ୍ ଭାରସାମ୍ୟ ହରାଇଥିଲା, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।














Leave a Reply