ଆସିକା: ଗଞ୍ଜାମ ଜିଲ୍ଲା ଆସିକା ନିକଟ ଖଡ଼ଭାଗଠାରେ ଘଟିଛି ସିରିଜ୍ ସଡ଼କ ଦୁର୍ଘଟଣା। ଦ୍ରୁତଗାମୀ ଟ୍ରକ୍ ପ୍ରଥମେ ରାସ୍ତାକଡ଼ରେ ଥିବା ଏକ କାର୍କୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ଫୁଲ ତୋଳୁଥିବା ଦୁଇ ମହିଳାଙ୍କୁ ଧକ୍କା ଦେଇଛି। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା ହେଲେ ୫୫ ବର୍ଷୀୟ ଅଲି ଗୌଡ଼। ଗୁରୁତର ଆହତ ମହିଳାଙ୍କ ନାମ ସୁକାନ୍ତି ସାହୁ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ସୁକାନ୍ତିଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବ୍ରହ୍ମପୁରସ୍ଥିତ MKCG ମେଡିକାଲ୍ କଲେଜ ଓ ହସ୍ପିଟାଲକୁ ପଠାଇଛନ୍ତି।
ସୂଚନା ଅନୁଯାୟୀ, ଖଡ଼ଭାଗ ନିକଟରେ ରାସ୍ତାକଡ଼ରେ ଏକ କାର୍ ଥିଲା। ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଟ୍ରକ୍ଟି ପ୍ରଥମେ କାର୍କୁ ଧକ୍କା ଦେଇଥିଲା। ଏହାପରେ ଟ୍ରକ୍ଟି ଭାରସାମ୍ୟ ହରାଇ ନିକଟରେ ଫୁଲ ତୋଳୁଥିବା ଦୁଇ ମହିଳାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଅଲି ଗୌଡ଼ଙ୍କ ମୃତ୍ୟୁ ହୋଇଥିବା ବେଳେ ସୁକାନ୍ତି ସାହୁ ଗୁରୁତର ଆହତ ହୋଇଥିଲେ। ଖବର ପାଇ ଆସିକା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ ଡ୍ରାଇଭରଙ୍କୁ ଅଟକ ରଖିଛି। ଦୁର୍ଘଟଣା କେଉଁ ପରିସ୍ଥିତିରେ ଘଟିଲା, ଟ୍ରକ୍ର ଗତି କେତେ ଥିଲା ଏବଂ ଡ୍ରାଇଭରଙ୍କ ଅବହେଳା ଥିଲା କି ନାହିଁ, ସେନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ଏହି ଦୁର୍ଘଟଣା ପରେ ଖଡ଼ଭାଗ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି।














Leave a Reply