ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ। ଏହି ଅବସରରେ ଦେଶବ୍ୟାପୀ ଭାବେ ତାଙ୍କୁ ଶୁଭେଚ୍ଛା ଜଣାଯାଉଥିବା ବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି। ୧୭ ସେପ୍ଟେମ୍ବର ୧୯୫୦ରେ ଜନ୍ମଗ୍ରହଣ କରିଥିବା ମୋଦୀ ଆଜି ୭୬ ବର୍ଷରେ ପଦାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ମାଝୀ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ବିକଶିତ ଭାରତର ସ୍ୱପ୍ନଦ୍ରଷ୍ଟା’ ଓ ପ୍ରେରଣାଦାୟୀ ନେତୃତ୍ୱର ପ୍ରତୀକ ଭାବେ ଅଭିହିତ କରିଛନ୍ତି। ମୋଦୀଙ୍କ ଦିଗଦର୍ଶନ ଓ ଓଡ଼ିଶା ପ୍ରତି ତାଙ୍କର ସମର୍ଥନ ରାଜ୍ୟକୁ ସଶକ୍ତ, ଆତ୍ମନିର୍ଭର ଓ ସମୃଦ୍ଧ କରିବାର ସଂକଳ୍ପକୁ ନୂଆ ଶକ୍ତି ଦେଉଛି ବୋଲି ମାଝୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ କର୍ମଯୋଗୀ ଜୀବନ ଜନକଲ୍ୟାଣ ଓ ସେବାର ସଂକଳ୍ପରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଉଛି। ଜନ୍ମଦିନ ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମୋଦୀଙ୍କୁ ଦୀର୍ଘାୟୁ, ନିରାମୟ ଜୀବନ ଓ ରାଷ୍ଟ୍ରସେବା ପାଇଁ ଶକ୍ତି ପ୍ରଦାନ କରନ୍ତୁ ବୋଲି ସେ ପ୍ରାର୍ଥନା କରିଛନ୍ତି। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ମାଝୀ ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଓଡ଼ିଶାବାସୀଙ୍କୁ ‘ଆଶୀର୍ବାଦର ଦୀପ’ ଜଳାଇବାକୁ ଆହ୍ୱାନ କରିଥିଲେ। ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ରାଜ୍ୟରେ ‘ସେବା ସଂକଳ୍ପ ଅଭିଯାନ’ ମଧ୍ୟ ଆୟୋଜନ କରାଯାଉଛି। ଜନ୍ମଦିନ ଅବସରରେ ମୋଦୀଙ୍କ ନେତୃତ୍ୱ, ‘ବିକଶିତ ଭାରତ’ର ସଂକଳ୍ପ ଏବଂ ଦେଶର ବିକାଶ ଯାତ୍ରାକୁ ନେଇ ମଧ୍ୟ ଶୁଭେଚ୍ଛା ବାର୍ତ୍ତା ଜାରି ହୋଇଛି। ଓଡ଼ିଶାର ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ସମୁଦ୍ରକୂଳରେ ୨୫ ଫୁଟ୍ର ବାଲୁକାକଳା ଓ ୨,୫୦୦ ଦୀପ ମାଧ୍ୟମରେ ମୋଦୀଙ୍କ ଜନ୍ମଦିନ ପାଳନ କରିଛନ୍ତି।














Leave a Reply