ଓଡ଼ିଶା ଡିଜିପି ନିଯୁକ୍ତି: ଆଜି ସୁପ୍ରିମକୋର୍ଟରେ ଶୁଣାଣି, ଖୋଲିବ କି ଚୟନ ପ୍ରକ୍ରିୟାର ବାଟ?

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାର ପରବର୍ତ୍ତୀ ଡିଜିପି କିଏ ହେବେ, ତା’ ଉପରେ ଆଜି ସୁପ୍ରିମକୋର୍ଟରେ ହେବ ଗୁରୁତ୍ୱପୂର୍ଣ୍ଣ ଶୁଣାଣି। ନୂଆ ଡିଜିପି ଚୟନ ପ୍ରକ୍ରିୟା ଉପରେ ସର୍ବୋଚ୍ଚ ଅଦାଲତ ସାମୟିକ ରୋକ୍ ଲଗାଇଥିବା ବେଳେ, ଆଜିର ଶୁଣାଣି ପରେ ଚୟନ ପ୍ରକ୍ରିୟା ଆଗକୁ ବଢ଼ିବ ନା ମାମଲା ଆହୁରି ଲମ୍ବିବ, ତାହା ନେଇ ନଜର ରହିଛି। ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି।

ଓଡ଼ିଶାର ଡିଜିପି ଚୟନ ପାଇଁ ରାଜ୍ୟ ସରକାର UPSCକୁ ପଠାଇଥିବା IPS ଅଧିକାରୀଙ୍କ ତାଲିକାକୁ ନେଇ ବିବାଦ ଦେଖାଦେଇଛି। ଡିଜିପି ଚୟନ ପ୍ରକ୍ରିୟାରେ ସୁପ୍ରିମକୋର୍ଟଙ୍କ ‘ପ୍ରକାଶ ସିଂହ ବନାମ ୟୁନିଅନ୍ ଅଫ୍ ଇଣ୍ଡିଆ’ ମାମଲାରେ ଦିଆଯାଇଥିବା ନିର୍ଦ୍ଦେଶକୁ ଠିକ୍ ଭାବେ ଅନୁସରଣ କରାଯାଇନଥିବା ଅଭିଯୋଗ ହୋଇଛି। ଏହାକୁ ଆଧାର କରି ମାମଲା ଦାଖଲ ହୋଇଥିବା ବେଳେ ସୁପ୍ରିମକୋର୍ଟ ଚୟନ ପ୍ରକ୍ରିୟା ଉପରେ ସାମୟିକ ରୋକ୍ ଲଗାଇଛନ୍ତି।

ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ସରକାର ଡିଜିପି ପଦ ପାଇଁ UPSCକୁ ୩ ଜଣ ଡିଜି-ରାଙ୍କର IPS ଅଧିକାରୀଙ୍କ ନାଁ ପଠାଇଥିଲେ। ତେବେ ପରବର୍ତ୍ତୀ ସମୟରେ ଏହି ତାଲିକାରେ ଆହୁରି ଅଧିକ ଅଧିକାରୀଙ୍କୁ ସାମିଲ କରାଯିବାକୁ ନେଇ ଆପତ୍ତି ଉଠିଛି। ଚୟନ ପାଇଁ ଯୋଗ୍ୟ ଅଧିକାରୀଙ୍କ ତାଲିକା ପ୍ରସ୍ତୁତି ଓ UPSCକୁ ନାଁ ପଠାଇବା ପ୍ରକ୍ରିୟା ନିୟମ ଅନୁଯାୟୀ ହୋଇଛି କି ନାହିଁ, ସେନେଇ ଆଇନଗତ ପ୍ରଶ୍ନ ଉଠିଛି। ଏବେ ସମସ୍ତଙ୍କ ନଜର ଆଜିର ସୁପ୍ରିମକୋର୍ଟ ଶୁଣାଣି ଉପରେ। ଅଦାଲତଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପରେ ଓଡ଼ିଶାର ନୂଆ ଡିଜିପି ଚୟନ ପ୍ରକ୍ରିୟା ପୁଣି ଆଗକୁ ବଢ଼ିବ କି ନାହିଁ, ତାହା ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial