ରାତି ଅଧିଆ ମହିଳାଙ୍କ ଘରେ ହଙ୍ଗାମା, ଅଡୁଆରେ ପରିବହନ ବିଭାଗର ଅତିରିକ୍ତ ସଚିବ

ଭୁବନେଶ୍ୱର: ମହଙ୍ଗା ପଡ଼ିଲା ରାତି ଅଧିଆ ମହିଳାଙ୍କୁ ଭେଟିବା । ଅଡୁଆରେ ପଡ଼ିଛନ୍ତି ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ ବିଶ୍ୱାଳ । ରାତି ଅଧରେ ଜଣେ ମହିଳାଙ୍କ ଘରେ ପଶି ହଙ୍ଗାମା କରୁଥିବା ଅଭିଯୋଗରେ ତାଙ୍କୁ ଖାରବେଳ ନଗର ଥାନା ପୋଲିସ ଅଟକ ରଖିଛି । ଏନେଇ ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହୋଇଛି । ମିଳିଥିବା ସୂଚନା ଅନୁସାରେ, ରାତି ଅଧରେ ଜଣେ ମହିଳାଙ୍କ ଘରେ ହଙ୍ଗାମା ଚାଲିଥିବା ନେଇ ପୋଲିସକୁ ଖବର ମିଳିଥିଲା । ଖବର ପାଇ ଏକ ପିସିଆର୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା । ସେଠାରୁ ଅରୁଣ ବିଶ୍ୱାଳଙ୍କୁ ଖାରବେଳ ନଗର ଥାନାକୁ ଆଣି ଅଟକ ରଖାଯାଇଛି ।

ଅଭିଯୋଗ ଅନୁସାରେ, ମହିଳାଙ୍କ ଘରେ ପଶିବା ସହ ରାତି ଅଧରେ ହଙ୍ଗାମା କରିବା ଏବଂ ତାଙ୍କ ସହ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି । ଘଟଣାର ପ୍ରକୃତ କାରଣ ଏବଂ ଅଧିକାରୀ ଜଣକ ଏତେ ରାତିରେ ମହିଳାଙ୍କ ଘରକୁ କାହିଁକି ଯାଇଥିଲେ, ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଘଟଣାକୁ ନେଇ ମହିଳାଙ୍କୁ ଏକ ସ୍ୱତନ୍ତ୍ର ଟିମ୍‌ ପଚରାଉଚରା କରୁଥିବା ବେଳେ ସମ୍ପୃକ୍ତ ଅଧିକାରୀଙ୍କୁ ମଧ୍ୟ ଅନ୍ୟ ଏକ ଟିମ୍‌ ପଚରାଉଚରା କରୁଛି । ଖାରବେଳ ନଗର ଥାନାରେ ହୋଇଥିବା ଲିଖିତ ଅଭିଯୋଗ ଆଧାରରେ ପୋଲିସ ଘଟଣାର ସମସ୍ତ ଦିଗ ଯାଞ୍ଚ କରୁଛି । ତଦନ୍ତ ପରେ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ସ୍ପଷ୍ଟ ହେବ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial