ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ସବଡେଗାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦ୍ରୁତଗତିରେ ଆସୁଥିବା ବୋଲେରୋ ଏକ ପଲସର୍ ବାଇକ୍କୁ ଧକ୍କା ଦେବା ସହ ଘୋଷାଡ଼ି ନେଇ ପାଖ ନାଳରେ ଖସିପଡ଼ିବା ଫଳରେ ଗୋଟିଏ ପରିବାରର ୩ ଜଣଙ୍କ ଜୀବନ ଚାଲିଯାଇଛି। ମୃତକମାନେ ହେଲେ ବାପ, ପୁଅ ଓ ସମ୍ପର୍କୀୟ ନାତି। ଗୁରୁବାର ରାତି ପ୍ରାୟ ୮ଟା ସମୟରେ ତଳସରା ଥାନା ଅଧୀନ ସବଡେଗା ପେଟ୍ରୋଲ ପମ୍ପ ସମ୍ମୁଖରେ ଏହି ଦୁର୍ଘଟଣା ଘଟିଥିଲା।
ସୂଚନା ଅନୁସାରେ, କିଞ୍ଜିରକେଲା ଥାନା ଅଧୀନ କୁକୁରିଡିହି ଗାଁର ଲିଙ୍ଗେଶ୍ବର ଲାରଙ୍ଗ, ତାଙ୍କ ଏକମାତ୍ର ପୁଅ ସମୀର ଲାରଙ୍ଗ ଓ ସମ୍ପର୍କୀୟ ନାତି ଗୋଟିଏ ପଲସର୍ ବାଇକ୍ରେ ସବଡେଗା-ବାଲିଶଙ୍କରା ମୁଖ୍ୟ ରାସ୍ତାରେ ଥିବା ପେଟ୍ରୋଲ ପମ୍ପକୁ ଆସିଥିଲେ। ପେଟ୍ରୋଲ ଭରିବା ପରେ ସେମାନେ ରାସ୍ତା ଉପରକୁ ଆସୁଥିବା ସମୟରେ ବାଲିଶଙ୍କରା ପଟୁ ଦ୍ରୁତଗତିରେ ଆସୁଥିବା ଏକ ବୋଲେରୋ ସେମାନଙ୍କ ବାଇକ୍କୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ବୋଲେରୋଟି ବାଇକ୍କୁ ଘୋଷାଡ଼ି ନେଇ ପାଖ ନାଳ ମଧ୍ୟକୁ ଖସିପଡ଼ିଥିଲା। ଦୁର୍ଘଟଣାରେ ବାଇକ୍ରେ ଥିବା ତିନିଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଉଥିଲା।
ତେବେ ଚିକିତ୍ସାଧୀନ ଅବସ୍ଥାରେ ତିନିଜଣଙ୍କର ମୃତ୍ୟୁ ହୋଇଯାଇଛି। ଏକାସାଙ୍ଗରେ ବାପ, ଏକମାତ୍ର ପୁଅ ଓ ସମ୍ପର୍କୀୟ ନାତିଙ୍କ ମୃତ୍ୟୁ ଖବର କୁକୁରିଡିହି ଗାଁରେ ଶୋକର ଛାୟା ଖେଳାଇ ଦେଇଛି। ଘଟଣା ସମ୍ପର୍କରେ ପୋଲିସ ପକ୍ଷରୁ ତଦନ୍ତ କରାଯାଉଥିବା ବେଳେ ଦୁର୍ଘଟଣାର ପ୍ରକୃତ କାରଣ ଓ ବୋଲେରୋର ଚାଳକଙ୍କ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି।














Leave a Reply