ଆଣ୍ଡାମାନ ସାଗରରେ ଲଘୁଚାପ ଦାନା ବାନ୍ଧୁଛି, ଓଡ଼ିଶାମୁହାଁ ହେବ ସିଷ୍ଟମ!

ଭୁବନେଶ୍ୱର: ଆଣ୍ଡାମାନ ସାଗରରେ ପୁଣି ଦାନା ବାନ୍ଧୁଛି ଲଘୁଚାପ। ଉତ୍ତର ଥାଇଲ୍ୟାଣ୍ଡ ଉପରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପଶ୍ଚିମ ଦିଗକୁ ଗତି କରି ଗତକାଲି ସନ୍ଧ୍ୟାରେ ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ପହଞ୍ଚିଛି। ଏହାର ପ୍ରଭାବରେ ଆଜି ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଲଘୁଚାପ ସୃଷ୍ଟି ହେବା ପରେ ଏହା ଧୀରେ ଧୀରେ ଅଧିକ ସଂଗଠିତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିପାରେ। ଆସନ୍ତା ୩ରୁ ୪ ଦିନ ମଧ୍ୟରେ ସିଷ୍ଟମଟି ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମୁହାଁଇବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଗାମୀ ଦିନରେ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିପାରେ। ତେବେ ବର୍ତ୍ତମାନ ସୁଦ୍ଧା କେବଳ ଲଘୁଚାପ ସୃଷ୍ଟି ହେବାର ପୂର୍ବାନୁମାନ ରହିଛି। ଏହା ପରବର୍ତ୍ତୀ ସମୟରେ କେତେ ଶକ୍ତିଶାଳୀ ହେବ କିମ୍ବା ଅବପାତ ବା ବାତ୍ୟାର ରୂପ ନେବ କି ନାହିଁ, ସେନେଇ IMD ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ନିଶ୍ଚିତ ପୂର୍ବାନୁମାନ କରାଯାଇନାହିଁ।

ଅନ୍ୟପଟେ, ଆସନ୍ତା ୨୪ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆଜି ପ୍ରବଳ ବର୍ଷା ପାଇଁ କେନ୍ଦୁଝର ଓ ମୟୂରଭଞ୍ଜକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହାସହ ସାରା ଓଡ଼ିଶା ପାଇଁ ବିଜୁଳି ଓ ଘଡ଼ଘଡ଼ି ନେଇ ୟେଲୋ ଆଲର୍ଟ ରହିଛି। କେତେକ ସ୍ଥାନରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ। ତେଣୁ ଆଗାମୀ କିଛି ଦିନ ଓଡ଼ିଶାର ପାଣିପାଗ ଉପରେ ନଜର ରହିବ। ବିଶେଷକରି ଆଜି ସମ୍ଭାବ୍ୟ ଲଘୁଚାପ ଗଠନ ପରେ ଏହାର ଗତିପଥ ଓ ପରବର୍ତ୍ତୀ ପ୍ରଭାବ କିଭଳି ରହୁଛି, ତାହା ଉପରେ ନଜର ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial