ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ୧୭ତମ ବିଧାନସଭାର ସପ୍ତମ ଅଧିବେଶନ ଆଜି, ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବ। ମୋଟ ୧୨ ଦିନର ଏହି ଅଧିବେଶନରେ ୯ଟି କାର୍ଯ୍ୟଦିବସ ରହିଛି। ସ୍ୱଳ୍ପ ସମୟର ଅଧିବେଶନ ହୋଇଥିଲେ ମଧ୍ୟ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ଜୋରଦାର ଆଲୋଚନାର ପରିସ୍ଥିତି ସୃଷ୍ଟି ହୋଇପାରେ। ଅଧିବେଶନ ପୂର୍ବରୁ ଗତକାଲି ବିଜେପି, ବିଜେଡି ଓ କଂଗ୍ରେସ ପକ୍ଷରୁ ବିଧାୟକ ଦଳ ବୈଠକ କରାଯାଇ ଗୃହରେ ଉଠାଯିବାକୁ ଥିବା ପ୍ରସଙ୍ଗ ଓ ଦଳୀୟ ରଣନୀତି ନେଇ ଆଲୋଚନା ହୋଇଛି। ଏହାସହ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକରେ ମଧ୍ୟ ଗୃହର କାର୍ଯ୍ୟ ସୁଚାରୁ ଭାବେ ଚଳାଇବା ନେଇ ଆଲୋଚନା ହୋଇଥିଲା।
ଚଳିତ ଅଧିବେଶନରେ MMDR Amendment Act, 2026 ପ୍ରମୁଖ ପ୍ରସଙ୍ଗ ହେବାର ସମ୍ଭାବନା ରହିଛି। ବିଜେଡି ଏହି ପ୍ରସଙ୍ଗକୁ ଅଧିବେଶନ ଆରମ୍ଭରୁ ଉଠାଇବା ପାଇଁ ରଣନୀତି କରିଛି। ଦଳ ପକ୍ଷରୁ ଏହି ଆଇନର ଓଡ଼ିଶାର ଖଣିଜ ରାଜସ୍ୱ ଓ ଆର୍ଥିକ ସ୍ୱାର୍ଥ ଉପରେ ପ୍ରଭାବ ନେଇ ଆଲୋଚନା ଦାବି କରାଯାଇଛି। ବିଜେଡିର ଅନ୍ୟ ପ୍ରମୁଖ ପ୍ରସଙ୍ଗ ମଧ୍ୟରେ ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି, କୃଷକ ସମସ୍ୟା, ଆଇନଶୃଙ୍ଖଳା, ବନ୍ୟା ପରିଚାଳନା, ଦରଦାମ ବୃଦ୍ଧି, ଆର୍ଥିକ ପରିଚାଳନା ଓ ବଜେଟ୍ ଖର୍ଚ୍ଚ ରହିଛି। ଅନ୍ୟପଟେ କଂଗ୍ରେସ ମଧ୍ୟ MMDR Amendment Act, ପାଠ୍ୟପୁସ୍ତକ ତ୍ରୁଟି ଓ ଆଇନଶୃଙ୍ଖଳା ଭଳି ପ୍ରସଙ୍ଗ ଉଠାଇବାକୁ ପ୍ରସ୍ତୁତ ହୋଇଛି। ଏହାସହ ମହାନଦୀ ଜଳ ବିବାଦ ମଧ୍ୟ ଗୃହରେ ଉଠିପାରେ। ଏହି ସବୁ ପ୍ରସଙ୍ଗରେ ସରକାରଙ୍କଠାରୁ ଜବାବ ଦାବି କରାଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।
ସେପଟେ ବିରୋଧୀଙ୍କ ପ୍ରଶ୍ନ ଓ ପ୍ରସଙ୍ଗର ଜବାବ ରଖିବାକୁ ଶାସକ ବିଜେପି ମଧ୍ୟ ପ୍ରସ୍ତୁତ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବିଜେପି ବିଧାୟକ ଦଳ ବୈଠକ ହୋଇ ଅଧିବେଶନରେ ସରକାରଙ୍କ ପକ୍ଷ କିପରି ରଖାଯିବ, ସେନେଇ ଆଲୋଚନା ହୋଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ ବିରୋଧୀ ଉଠାଇବାକୁ ଥିବା ବିଭିନ୍ନ ପ୍ରସଙ୍ଗ ଉପରେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ। MMDR ପ୍ରସଙ୍ଗ ଗୃହରେ ଆସିଲେ ସରକାର ମଧ୍ୟ ନିଜ ପକ୍ଷ ରଖିବ ବୋଲି କୁହାଯାଇଛି।ଚଳିତ ଅଧିବେଶନରେ MMDR ସଂଶୋଧନ, ପାଠ୍ୟପୁସ୍ତକ ତ୍ରୁଟି, ଆଇନଶୃଙ୍ଖଳା, କୃଷକ ସମସ୍ୟା, ବନ୍ୟା ପରିଚାଳନା ଓ ମହାନଦୀ ଜଳ ବିବାଦ ଭଳି ପ୍ରସଙ୍ଗ ଗୁରୁତ୍ୱ ପାଇପାରେ। ତେଣୁ ୯ କାର୍ଯ୍ୟଦିବସର ଏହି ସ୍ୱଳ୍ପ ଅଧିବେଶନରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ବିଭିନ୍ନ ଜନସ୍ୱାର୍ଥ ପ୍ରସଙ୍ଗକୁ ନେଇ ଜୋରଦାର ଆଲୋଚନା ହେବାର ସମ୍ଭାବନା ରହିଛି।














Leave a Reply