ଭଦ୍ରକରେ ଦୁଇ ତୀର୍ଥଯାତ୍ରୀ ବସ୍ ଧକ୍କା: ୨୦ରୁ ଅଧିକ ଆହତ, ୧୪ ଗୁରୁତର

ଭଦ୍ରକ: ରାତିଅଧିଆ ଦୁର୍ଘଟଣାରେ ଥରିଲା NH-16। ଭଦ୍ରକ ଜିଲ୍ଲାରେ ଦୁଇ ତୀର୍ଥଯାତ୍ରୀ ବସ୍‌ ମଧ୍ୟରେ ଧକ୍କା ହେବାରୁ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ଗତ ବିଳମ୍ବିତ ରାତି ପ୍ରାୟ ୨ଟା ୨୫ ମିନିଟ୍‌ରେ ୧୬ ନମ୍ବର ଜାତୀୟ ରାଜପଥର ଧାମରା ରେଲୱେ ଓଭରବ୍ରିଜ୍‌ ନିକଟରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ, ପଶ୍ଚିମବଙ୍ଗରୁ ପୁରୀ ଅଭିମୁଖେ ଯାଉଥିବା ଏକ ତୀର୍ଥଯାତ୍ରୀ ବସ୍‌ ଆଗରେ ଯାଉଥିବା ଅନ୍ୟ ଏକ ତୀର୍ଥଯାତ୍ରୀ ବସ୍‌କୁ ପଛପଟୁ ଧକ୍କା ଦେଇଥିଲା। ଧକ୍କା ଏତେ ତୀବ୍ର ଥିଲା ଯେ ରାତି ଅନ୍ଧାରରେ ଘଟଣାସ୍ଥଳରେ ହଠାତ୍‌ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ଖବର ପାଇ ଗ୍ରାମାଞ୍ଚଳ ପୁଲିସ ଓ ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାରକାରୀ ଦଳ ବସ୍‌ ଭିତରୁ ଆହତ ଯାତ୍ରୀମାନଙ୍କୁ ବାହାର କରିବା ସହ ଚିକିତ୍ସା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।

ପ୍ରାଥମିକ ସୂଚନା ଅନୁସାରେ, ଆଗରେ ଯାଉଥିବା ବସ୍‌ରେ ଥିବା ଯାତ୍ରୀମାନେ ସୁରକ୍ଷିତ ଥିବାବେଳେ ପଛ ବସ୍‌ର ଯାତ୍ରୀମାନେ ଅଧିକ ପ୍ରଭାବିତ ହୋଇଛନ୍ତି। ପଛ ବସ୍‌ର ୧୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଥିବାବେଳେ, ୧୪ ଜଣ ଗୁରୁତର ଆହତଙ୍କ ଚିକିତ୍ସା ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଛି। ତେବେ ଏହି ଦୁର୍ଘଟଣାର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ। ରାତିରେ ଦୃଶ୍ୟମାନତା କମ୍ ଥିବା, ଗାଡ଼ିର ବେଗ, ଡ୍ରାଇଭରଙ୍କ ଆଖି ଲାଗିଯିବା କିମ୍ବା ଅନ୍ୟ କୌଣସି କାରଣରୁ ଦୁର୍ଘଟଣା ଘଟିଛି କି, ସେନେଇ ପୁଲିସ ତଦନ୍ତ ଜାରି ରଖିଛି। ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial