ଡିଜେ-ସାଉଣ୍ଡ ସିଷ୍ଟମ୍‌କୁ ନେଇ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: ୬ ସପ୍ତାହରେ ଆସିବ ସ୍ପଷ୍ଟ ଗାଇଡଲାଇନ୍

କଟକ: ଡିଜେ, ସାଉଣ୍ଡ ସିଷ୍ଟମ୍ ଓ ବାଦ୍ୟଯନ୍ତ୍ର ବ୍ୟବହାରକୁ ନେଇ ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ। ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ସହ ଡିଜେ ଓ ଅନ୍ୟ ସାଉଣ୍ଡ ସିଷ୍ଟମ୍‌ ବ୍ୟବହାର ପାଇଁ ସ୍ପଷ୍ଟ ନିୟମାବଳୀ ପ୍ରସ୍ତୁତ କରିବାକୁ କୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ଆସନ୍ତା ୬ ସପ୍ତାହ ମଧ୍ୟରେ ଗାଇଡଲାଇନ୍ ପ୍ରସ୍ତୁତ ହେବା ନିଶ୍ଚିତ କରିବାକୁ ଜଗତସିଂହପୁର ସବ୍‌-ଡିଭିଜନାଲ ମାଜିଷ୍ଟ୍ରେଟ୍‌ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜଷ୍ଟିସ୍ ଆର.କେ. ପଟ୍ଟନାୟକଙ୍କ ଖଣ୍ଡପୀଠ ଜଗନ୍ନାଥ ଟେଣ୍ଟ ଲାଇଟ୍ ଆଣ୍ଡ ସାଉଣ୍ଡ ଓନର୍ସ ଆସୋସିଏସନ୍ ପକ୍ଷରୁ ଦାଏର ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଡିଜେ, ସାଉଣ୍ଡ ସିଷ୍ଟମ୍ ଓ ବାଦ୍ୟଯନ୍ତ୍ର ବ୍ୟବହାର ସମ୍ପର୍କରେ ନିୟମ, ଶବ୍ଦସୀମା ଓ ଅନ୍ୟାନ୍ୟ ମାନଦଣ୍ଡ ସ୍ପଷ୍ଟ ରହିବା ଆବଶ୍ୟକ ବୋଲି ମାମଲାରେ ଗୁରୁତ୍ୱ ଦିଆଯାଇଛି।

ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଏଜିଏ ସର୍ବେଶ୍ୱର ବେହେରା ଯୁକ୍ତି ରଖିଥିଲେ ଯେ, ଡିଜେରୁ ବାହାରୁଥିବା ଅତ୍ୟଧିକ ଓ ପ୍ରଚଣ୍ଡ ଶବ୍ଦ ଯୋଗୁଁ ବୟସ୍କ ଓ ଅସୁସ୍ଥ ବ୍ୟକ୍ତିମାନେ ଅସୁବିଧାରେ ପଡ଼ୁଛନ୍ତି। ଏଭଳି ଶବ୍ଦ ଶବ୍ଦ ପ୍ରଦୂଷଣର କାରଣ ହେଉଥିବାରୁ ଏହା ଉପରେ କଟକଣା ଲଗାଇବା ପାଇଁ ଜାରି ହୋଇଥିବା ନିର୍ଦ୍ଦେଶ ଆଇନସମ୍ମତ ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ, ଆବେଦନକାରୀଙ୍କ ପକ୍ଷରୁ ଡିଜେ ଓ ସାଉଣ୍ଡ ସିଷ୍ଟମ୍‌ର ସମ୍ପୂର୍ଣ୍ଣ ବ୍ୟବହାର ବନ୍ଦ କରିବା ପରିବର୍ତ୍ତେ ନିର୍ଦ୍ଧାରିତ ଶବ୍ଦସୀମା, ନିୟମ ଓ ଅନ୍ୟ ମାନଦଣ୍ଡ ମଧ୍ୟରେ ବ୍ୟବହାରକୁ ଅନୁମତି ଦିଆଯିବା ଉଚିତ ବୋଲି ଯୁକ୍ତି ଦିଆଯାଇଥିଲା।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜଗତସିଂହପୁର ଅଞ୍ଚଳରେ ଡିଜେ, ସାଉଣ୍ଡ ସିଷ୍ଟମ୍ ଓ ବାଦ୍ୟଯନ୍ତ୍ର ବ୍ୟବହାର ନେଇ ସ୍ପଷ୍ଟ ନିୟମାବଳୀ ଆସିବାର ପଥ ପ୍ରଶସ୍ତ ହୋଇଛି। ତେବେ ନୂଆ ଗାଇଡଲାଇନ୍‌ରେ ଅନୁମତି ପ୍ରକ୍ରିୟା, ଶବ୍ଦସୀମା, ବ୍ୟବହାର ସମୟସୀମା ଓ ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଭଳି ବିଷୟ କିପରି ରହିବ, ତାହା ଗାଇଡଲାଇନ୍ ପ୍ରକାଶ ପରେ ସ୍ପଷ୍ଟ ହେବ। ଉଲ୍ଲେଖଯୋଗ୍ୟ, ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ନେଇ ଓଡ଼ିଶା ହାଇକୋର୍ଟ ପୂର୍ବରୁ ମଧ୍ୟ ବିଭିନ୍ନ ନିର୍ଦ୍ଦେଶ ଦେଇଛନ୍ତି। କଟକ ସହରରେ ଡିଜେ, ବ୍ୟାଣ୍ଡ ଓ ଅନ୍ୟ ସାଉଣ୍ଡ ସିଷ୍ଟମ୍‌ର ଶବ୍ଦ ୬୫ ଡେସିବେଲ ମଧ୍ୟରେ ରଖିବା ଏବଂ ଆବଶ୍ୟକ ଅନୁମତି ନେଇ ବ୍ୟବହାର କରିବା ସମ୍ପର୍କରେ ମଧ୍ୟ ନିର୍ଦ୍ଦେଶ ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial