ଭୁବନେଶ୍ୱର: ମହାନଦୀ ଅବବାହିକାରେ ଭାରତର ଗ୍ୟାସ୍ ଅନ୍ବେଷଣ କ୍ଷେତ୍ରରେ ବଡ଼ ସଫଳତା। ଗଭୀର ସମୁଦ୍ରରେ ଖନନ ବେଳେ ମହାନଦୀ ଉପତଟୀୟ ଅବବାହିକାରୁ ଗ୍ୟାସ୍ ଠାବ ହୋଇଛି। ରାଷ୍ଟ୍ରାୟତ୍ତ ତୈଳ ଓ ଗ୍ୟାସ୍ କମ୍ପାନି ଓଏନ୍ଜିସି (ONGC) ପକ୍ଷରୁ ଏହି ସଫଳତା ନେଇ ସୂଚନା ଦିଆଯାଇଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧଜନିତ ତୈଳ ଓ ଗ୍ୟାସ୍ ଯୋଗାଣ ସଙ୍କଟ ମଧ୍ୟରେ ଏହି ଅନ୍ବେଷଣକୁ ଗୁରୁତ୍ୱପୂର୍ଣ୍ଣ ସଫଳତା ଭାବେ ଦେଖାଯାଉଛି। ‘ସମୁଦ୍ର ମନ୍ଥନ’ ଅଭିଯାନ ଅଧୀନରେ ଓଏନ୍ଜିସି ମହାନଦୀ ଅବବାହିକାରେ ଗଭୀର ସମୁଦ୍ରରେ ଗ୍ୟାସ୍ ଅନ୍ବେଷଣ ପାଇଁ ଖନନ କରୁଥିଲା। ଏହି ଅନ୍ବେଷଣ ସମୟରେ ‘ଏମ୍ଏନ୍-ଡିଡବ୍ଲ୍ୟୁ୧୮-୧-ଏଚ୍-ଡି’ ଅଞ୍ଚଳରେ ଏମ୍ଡିଡବ୍ଲ୍ୟୁ-୨୮ ନାମକ ଗଭୀର କୂପ ଖନନ ବେଳେ ଗ୍ୟାସ୍ ଠାବ ହୋଇଛି।
କମ୍ପାନିର ସୂଚନା ଅନୁସାରେ, ୧୪୧୧ରୁ ୧୪୫୨ ମିଟର ଗଭୀରତାରେ ଖନନ ସମୟରେ ଗ୍ୟାସ୍ର ସନ୍ଧାନ ମିଳିଥିଲା। ଏହି କୂପଟି କୋଣାର୍କ ତଟଠାରୁ ପ୍ରାୟ ୪୩ କିଲୋମିଟର ଦୂରରେ ରହିଛି। ମହାନଦୀ ଅବବାହିକାରେ ଖୋଳାଯାଇଥିବା ଏହା ପ୍ରଥମ କୂପ ବୋଲି ଓଏନ୍ଜିସି ପକ୍ଷରୁ କୁହାଯାଇଛି। ବିଶେଷ କଥା ହେଉଛି, ଗତ ତିନି ଦିନ ଧରି ଏହି କୂପରୁ ଲଗାତାର ଭାବେ ଉତ୍ସାହଜନକ ଗତିରେ ଗ୍ୟାସ୍ ବାହାରୁଛି। ତେବେ ଗ୍ୟାସ୍ର ପରିମାଣ, ଗୁଣବତ୍ତା ଓ ବାଣିଜ୍ୟିକ ଉତ୍ପାଦନ କ୍ଷମତା ନେଇ ଅଧିକ ଅନୁଧ୍ୟାନ ଆବଶ୍ୟକ ରହିଛି।
ସମୁଦ୍ର କୂଳଠାରୁ ଏହି କୂପର ଦୂରତା ଅପେକ୍ଷାକୃତ କମ୍ ଥିବାରୁ ଆଗାମୀ ଦିନରେ ଗ୍ୟାସ୍ର ବାଣିଜ୍ୟିକ ଉପଯୋଗ ଶୀଘ୍ର ଆରମ୍ଭ ହେବାର ସମ୍ଭାବନା ଥିବା କମ୍ପାନି ପକ୍ଷରୁ କୁହାଯାଇଛି। ତେବେ ଏଥିପାଇଁ ଆହୁରି ବିସ୍ତୃତ ଅନୁଶୀଳନ ଓ ବାଣିଜ୍ୟିକ ଅନୁଧ୍ୟାନ କରାଯିବ। ମହାନଦୀ ଅବବାହିକାରୁ ଗ୍ୟାସ୍ ମିଳିବା ଦ୍ୱାରା ଦେଶର ଗ୍ୟାସ୍ ଉତ୍ପାଦନ ବୃଦ୍ଧି ଓ ଆମଦାନି ନିର୍ଭରଶୀଳତା ହ୍ରାସ କରିବାରେ ସହାୟତା ମିଳିପାରେ। ଏହି ସଫଳତା ପରେ ମହାନଦୀ ଅବବାହିକାରେ ଆଗାମୀ ଦିନରେ ଅଧିକ ଅନ୍ବେଷଣ ଓ ଖନନ ନେଇ ଆଶା ବଢ଼ିଛି।














Leave a Reply