ଓଡ଼ିଶାର ନୂଆ DGP ଚୟନ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି: ସୁଶାନ୍ତ ନାଥଙ୍କ ନାଁ କଟିବାକୁ ନେଇ ଉଠିଛି ପ୍ରଶ୍ନ

ଭୁବନେଶ୍ୱର/ନୂଆଦିଲ୍ଲୀ: ଓଡ଼ିଶାର ନୂଆ ପୁଲିସ୍ ଡିଜି (DGP) ଚୟନ ଓ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ଡିଜିପି ଚୟନ ପ୍ରକ୍ରିୟାରେ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ନେଇ ଉଠିଥିବା ପ୍ରଶ୍ନ ଏବଂ ଏମ୍ପାନେଲମେଣ୍ଟ ପ୍ରକ୍ରିୟାକୁ ନେଇ ମାମଲା ଗୁରୁତ୍ୱ ବହନ କରୁଛି। ଗତ ୧୭ ତାରିଖରେ ଶୁଣାଣି ପୁଣିଥରେ ଘୁଞ୍ଚି ସେପ୍ଟେମ୍ବର ୨୨କୁ ଧାର୍ଯ୍ୟ ହୋଇଥିଲା। ପୂର୍ବରୁ ମଧ୍ୟ ବିଭିନ୍ନ କାରଣରୁ ଏହି ମାମଲାର ଶୁଣାଣି ଏକାଧିକ ଥର ପରବର୍ତ୍ତୀ ତାରିଖକୁ ଘୁଞ୍ଚିଥିଲା। ତେଣୁ ଆଜି ମାମଲାରେ କୋର୍ଟ କ’ଣ ଶୁଣାଣି କରୁଛନ୍ତି ଏବଂ ଡିଜିପି ଚୟନ ପ୍ରକ୍ରିୟା ନେଇ କି ଦିଗ ନିର୍ଦ୍ଦେଶ ଆସୁଛି, ତା’ ଉପରେ ନଜର ରହିଛି।

ଗତ ୭ ତାରିଖର ଶୁଣାଣି ସମୟରେ ମାମଲାରେ ନୂଆ ମୋଡ଼ ଆସିଥିଲା। ବରିଷ୍ଠ ଆଇପିଏସ୍ ଅଧିକାରୀ ସୁଶାନ୍ତ କୁମାର ନାଥଙ୍କ ପକ୍ଷରୁ ଆଇନଜୀବୀ ସୁପ୍ରିମକୋର୍ଟରେ ହାଜର ହୋଇ ତାଙ୍କ ପକ୍ଷ ରଖିଥିଲେ। ରିପୋର୍ଟ ଅନୁସାରେ, ଡିଜିପି ପଦ ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ସମ୍ଭାବ୍ୟ ଅଧିକାରୀଙ୍କ ତାଲିକାରେ ସୁଶାନ୍ତ ନାଥଙ୍କ ନାଁ ଥିବା ନେଇ ତାଙ୍କ ପକ୍ଷରୁ ଯୁକ୍ତି ରଖାଯାଇଥିଲା। ପରେ ତାଙ୍କ ନାଁ କେଉଁ ପରିସ୍ଥିତିରେ ତାଲିକାରୁ ବାଦ୍ ପଡ଼ିଲା ଏବଂ ଏହାର ଆଧାର କ’ଣ, ସେନେଇ ପ୍ରଶ୍ନ ଉଠାଯାଇଥିଲା।

ସୁଶାନ୍ତ ନାଥଙ୍କ ପକ୍ଷରୁ ତାଙ୍କୁ ଡିଜିପି ଚୟନ ପ୍ରକ୍ରିୟାରୁ ବାଦ୍ ଦିଆଯିବା ନେଇ ଆପତ୍ତି ଉଠାଯାଇଥିବା ବେଳେ, ଏହି ପ୍ରକ୍ରିୟାର ପାରଦର୍ଶିତା ଓ ଯୋଗ୍ୟ ଅଧିକାରୀଙ୍କ ଏମ୍ପାନେଲମେଣ୍ଟକୁ ନେଇ ଆମିକସ୍ କ୍ୟୁରି ରାଜୁ ରାମଚନ୍ଦ୍ରନ ମଧ୍ୟ ପ୍ରଶ୍ନ ଉଠାଇଥିବା ରିପୋର୍ଟ ଆସିଛି। ବିଶେଷକରି ସୁଶାନ୍ତ କୁମାର ନାଥଙ୍କୁ ଯୋଗ୍ୟତା ତାଲିକାରୁ ବାଦ୍ ଦିଆଯିବା ଏବଂ ଜଣେ ଅଧିକାରୀଙ୍କ ଇଣ୍ଟେଗ୍ରିଟି ସାର୍ଟିଫିକେଟ୍‌ ସମ୍ପର୍କିତ ପ୍ରସଙ୍ଗ ଉଠିଥିଲା। ଏହାସହ ମୂଳ ଯୋଗ୍ୟତା ତାଲିକା UPSCକୁ ପଠାଯିବା ପରେ DGP ପଦକୁ ପଦୋନ୍ନତି ପାଇଥିବା ଆଉ ଦୁଇଜଣ ଅଧିକାରୀଙ୍କୁ ପରବର୍ତ୍ତୀ ତାଲିକାରେ ସାମିଲ କରାଯିବାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଓଡ଼ିଶା ସରକାର ପ୍ରଥମେ UPSC ବିଚାର ପାଇଁ ତିନିଜଣ DG-rank ଅଧିକାରୀଙ୍କ ନାଁ ପଠାଇଥିବା ରିପୋର୍ଟ ରହିଛି।

ମାମଲାଟି ୨୦୦୬ ମସିହାର ପ୍ରକାଶ ସିଂହ ମାମଲାରେ ସୁପ୍ରିମକୋର୍ଟଙ୍କ ଡିଜିପି ଚୟନ ସମ୍ପର୍କିତ ନିର୍ଦ୍ଦେଶ ସହ ମଧ୍ୟ ଜଡ଼ିତ। ରାଜ୍ୟର ପୁଲିସ୍ ମୁଖ୍ୟ ଚୟନ ପାଇଁ ଯୋଗ୍ୟ ବରିଷ୍ଠ ଅଧିକାରୀଙ୍କ ଏକ ପ୍ୟାନେଲ୍ ପ୍ରସ୍ତୁତ କରିବାରେ UPSCର ଭୂମିକା ସମ୍ପର୍କିତ ନିୟମକୁ ନେଇ ଏହି ମାମଲାରେ ଆଇନଗତ ପ୍ରଶ୍ନ ଉଠିଛି। ୧୭ ତାରିଖରେ ଶୁଣାଣି ହୋଇପାରିନଥିବାରୁ ମାମଲାକୁ ଆଜି, ସେପ୍ଟେମ୍ବର ୨୨, ତାରିଖକୁ ଘୁଞ୍ଚାଯାଇଥିଲା। ଏବେ ଆଜିର ଶୁଣାଣିରେ କୋର୍ଟ ଏହି ପ୍ରସଙ୍ଗଗୁଡ଼ିକ ଉପରେ କିଭଳି ଆଗକୁ ବଢ଼ୁଛନ୍ତି, ତାହା ଉପରେ ନଜର ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial