ରାସ୍ତାକଡ଼ରେ ଅଟକିଥିଲା କାର, ପଛରୁ ପିଟିଲା ଟ୍ରକ୍‌: ବୃଦ୍ଧଙ୍କ ମୃତ୍ୟୁ, ୨ ଗୁରୁତର

ଯାଜପୁର: ରାସ୍ତାକଡ଼ରେ ଅଟକି ରହିଥିବା କାରକୁ ପଛପଟୁ ଧକ୍କା ଦେଲା ଟ୍ରକ୍‌। ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଯାଜପୁର ପାଣିକୋଇଲି ଥାନା ଅନ୍ତର୍ଗତ ସଠିପୁର ପଥପ୍ରାନ୍ତ ଛକ ନିକଟରେ ଗତ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଭଦ୍ରକରୁ ଏକ ୱାଗନର କାର ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ସଠିପୁର ପଥପ୍ରାନ୍ତ ଛକ ନିକଟରେ ହଠାତ୍‌ କାରଟି ପମ୍ପଚର ହୋଇଯାଇଥିଲା। ଫଳରେ ଚାଳକ କାରକୁ ରାସ୍ତାକଡ଼ରେ ଅଟକାଇ ମରାମତି କରୁଥିଲେ। ଏହି ସମୟରେ ପଛପଟୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍‌ କାରକୁ ଧକ୍କା ଦେଇଥିଲା।

ଟ୍ରକ୍‌ ଧକ୍କାରେ କାରରେ ଥିବା ଚାଳକଙ୍କ ସମେତ ୩ ଜଣ ଗୁରୁତର ଆହତ ହୋଇଥିଲେ। ଖବର ପାଇ ଉଦ୍ଧାରକାରୀ ଦଳ ସେମାନଙ୍କୁ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଜଣେ ବୃଦ୍ଧଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ୨ ଜଣ ଗୁରୁତରଙ୍କ ଚିକିତ୍ସା ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜାରି ରହିଛି। ଦୁର୍ଘଟଣା ପରେ ପାଣିକୋଇଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଧକ୍କା ଦେଇଥିବା ଟ୍ରକ୍‌କୁ ଜବତ କରିଛି। ଏଥିସହ ଦୁର୍ଘଟଣାର ପ୍ରକୃତ କାରଣ କ’ଣ, ଟ୍ରକ୍‌ ଚାଳକଙ୍କ ଭୂମିକା କ’ଣ ଏବଂ ଅନ୍ୟ କୌଣସି କାରଣ ରହିଛି କି ନାହିଁ, ସେନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial