ଆରମ୍ଭ ହେଲା ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ: ଦିବଙ୍ଗତଙ୍କୁ ଶ୍ରଦ୍ଧାଞ୍ଜଳି, ଆଗକୁ ରହିଛି ଅନେକ ପ୍ରସଙ୍ଗ

ଭୁବନେଶ୍ୱର: ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ମଙ୍ଗଳବାର ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ପ୍ରଥମେ ଦିବଙ୍ଗତ ନେତା ଏବଂ ନେପାଳରେ ବନ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝୀ, ସୁଶାନ୍ତ ସିଂ, ପୂର୍ବତନ ସରକାରୀ ମୁଖ୍ୟ ସଚେତକ ସତ୍ୟଭୂଷଣ ସାହୁ, ରାମମୂର୍ତ୍ତି ଗମାଙ୍ଗୋ, ହାଜି ମହମ୍ମଦ ଆୟୁବ ଖାନ୍‌ ଏବଂ ଶିବାଜୀ ମାଝୀଙ୍କ ପାଇଁ ଶୋକ ପ୍ରସ୍ତାବ ଆଣିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଆଗତ ଶୋକ ପ୍ରସ୍ତାବକୁ ବିରୋଧୀ ଦଳ ପକ୍ଷରୁ ସମର୍ଥନ କରାଯାଇଥିଲା। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ମଧ୍ୟ ଦିବଙ୍ଗତ ନେତାମାନଙ୍କ ପ୍ରତି ଶୋକବ୍ୟକ୍ତ କରିଥିଲେ। ବିରୋଧୀଙ୍କ ସମର୍ଥନ ପରେ ବାଚସ୍ପତି ଶୋକ ପ୍ରସ୍ତାବକୁ ଗୃହୀତ କରିଥିଲେ। ଏହାପରେ ସମସ୍ତ ସଦସ୍ୟ ଛିଡ଼ା ହୋଇ ଦିବଙ୍ଗତଙ୍କ ଅମର ଆତ୍ମାର ଶାନ୍ତି ପାଇଁ ନୀରବ ପ୍ରାର୍ଥନା କରିଥିଲେ।

ଚଳିତ ମୌସୁମୀ ଅଧିବେଶନ ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବ। ଅଧିବେଶନରେ ୯ଟି କାର୍ଯ୍ୟଦିବସ ରହିଛି ଏବଂ ପ୍ରାୟ ୬ଟି ବିଲ୍‌ ଆସିବାର ସମ୍ଭାବନା ରହିଛି। ଅଧିବେଶନର ଅବଧି ସ୍ୱଳ୍ପ ହୋଇଥିଲେ ମଧ୍ୟ ବିଭିନ୍ନ ରାଜ୍ୟସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗକୁ ନେଇ ଗୃହରେ ଆଲୋଚନା ହେବାର ସମ୍ଭାବନା ରହିଛି। ଅଧିବେଶନ ପୂର୍ବରୁ ହୋଇଥିବା ସର୍ବଦଳୀୟ ବୈଠକରେ ଗୃହକୁ ସୁରୁଖୁରୁରେ ଚଳାଇବା ଏବଂ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ନେଇ ଆଲୋଚନା ହୋଇଥିଲା। ସରକାର ସମସ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଥିବା ବେଳେ ବିରୋଧୀ ଦଳଗୁଡ଼ିକ ମଧ୍ୟ ନିଜ ନିଜ ପ୍ରସଙ୍ଗ ଉଠାଇବା ପାଇଁ ପ୍ରସ୍ତୁତ ରହିଛନ୍ତି।

ବିଶେଷ କରି MMDR ସଂଶୋଧନ ଆଇନ, ସ୍କୁଲ୍‌ ପାଠ୍ୟପୁସ୍ତକରେ ତ୍ରୁଟି, ବନ୍ୟା ପରିଚାଳନା, ଆଇନଶୃଙ୍ଖଳା, କୃଷି ସମସ୍ୟା ଏବଂ ମହାନଦୀ ବିବାଦ ଭଳି ପ୍ରସଙ୍ଗ ଗୃହରେ ଉଠିପାରେ। ବିରୋଧୀ ଦଳଗୁଡ଼ିକ ଏହି ପ୍ରସଙ୍ଗଗୁଡ଼ିକରେ ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିବାକୁ ପ୍ରସ୍ତୁତ ଥିବା ଜଣାପଡ଼ିଛି। ଅନ୍ୟପଟେ, ଅଧିବେଶନରେ ଆସିବାକୁ ଥିବା ବିଲ୍‌ ଏବଂ ଗୃହରେ ଉଠିବାକୁ ଥିବା ବିଭିନ୍ନ ରାଜ୍ୟସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗ ଉପରେ ସରକାରୀ ଦଳ ମଧ୍ୟ ପ୍ରସ୍ତୁତି କରିଛି। ଫଳରେ ଆଗାମୀ ୯ଟି କାର୍ଯ୍ୟଦିବସରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ଆଲୋଚନା ଜାରି ରହିବ। ଅଧିବେଶନର ପ୍ରକୃତ ଆଲୋଚନା ଓ ପ୍ରତିବାଦର ଧାରା ଆଗାମୀ ଦିନଗୁଡ଼ିକରେ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial