ଗଞ୍ଜାମ: ଲଗାଣ ବର୍ଷା ଏବେ ଚାଷୀଙ୍କ ଚିନ୍ତା ବଢ଼ାଇଦେଇଛି। ଲଗାତାର ବର୍ଷା ଯୋଗୁଁ ଚାଷଜମିରେ ଜମି ରହିଛି ବର୍ଷାଜଳ। ଫଳରେ ପାଣି ଘେରରେ ପଡ଼ିଛି ଚାଷୀଙ୍କ ମାସ ମାସର ପରିଶ୍ରମ। ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ର ନନ୍ଦିଗୋର ଗାଁରେ ଲଗାଣ ବର୍ଷାରେ ଶହ ଶହ ଏକର ଚାଷଜମି ଏବେ ପାଣିରେ ବୁଡ଼ି ରହିଛି। ବିଶେଷ କରି କଲରା, ଜହ୍ନି ସମେତ ବିଭିନ୍ନ ପନିପରିବା ଫସଲ ପାଣି ଘେରରେ ରହିଛି। ଜମିରେ ଦୀର୍ଘ ସମୟ ଧରି ପାଣି ଜମି ରହିଲେ ଫସଲ ନଷ୍ଟ ହେବାର ଆଶଙ୍କା ବଢ଼ିଛି। ଫଳନ ଅମଳ ପୂର୍ବରୁ ଫସଲ ପାଣିରେ ବୁଡ଼ିଯିବାରୁ ଚାଷୀଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି।
ସେପଟେ ବର୍ଷା ଥମିବାର ନାଁ ନେଉନଥିବା ବେଳେ ଜମିରୁ ମଧ୍ୟ ଠିକ୍ ଭାବେ ପାଣି ନିଷ୍କାସିତ ହୋଇପାରୁନାହିଁ। ଏଭଳି ସ୍ଥିତି ଜାରି ରହିଲେ ପରିବା ଫସଲରେ ବ୍ୟାପକ କ୍ଷତି ହେବା ସହ ଚାଷୀଙ୍କ ଆର୍ଥିକ କ୍ଷତି ବଢ଼ିବା ଆଶଙ୍କା ରହିଛି। ପରିବା ଫସଲ ନଷ୍ଟ ହେଲେ କେବଳ ଚାଷୀଙ୍କ ଆୟ ପ୍ରଭାବିତ ହେବ ନାହିଁ, ଅଞ୍ଚଳର ପରିବା ଉତ୍ପାଦନ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି। ଲଗାଣ ବର୍ଷା ଓ ଜଳ ନିଷ୍କାସନ ସମସ୍ୟା ମଧ୍ୟରେ ଏବେ ଫସଲ ବଞ୍ଚାଇବା ଚାଷୀଙ୍କ ପାଇଁ ବଡ଼ ଚିନ୍ତା ପାଲଟିଛି।














Leave a Reply