NLUOରେ ଏଲଏଲ୍.ବି. ନାମଲେଖାରୁ ବଞ୍ଚିତ ଛାତ୍ରୀଙ୍କୁ ହାଇକୋର୍ଟଙ୍କ ଆଶ୍ୱସ୍ତି: ସିଟ୍ ଖାଲି ହେଲେ ନାମଲେଖା, ନହେଲେ ୧ ଲକ୍ଷ ଟଙ୍କା କ୍ଷତିପୂରଣ

କଟକ: ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ଓଡ଼ିଶା (NLUO)ରେ ୩ ବର୍ଷିଆ ଏଲଏଲ୍.ବି. ପାଠ୍ୟକ୍ରମରେ ଜଣେ ଛାତ୍ରୀଙ୍କ ନାମଲେଖାକୁ ନେଇ ଦାୟର ମାମଲାରେ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ହାଇକୋର୍ଟ। ୨୦୨୬-୨୭ ଶିକ୍ଷାବର୍ଷରେ ଏହି ପାଠ୍ୟକ୍ରମର ସମସ୍ତ ସିଟ୍ ପୂରଣ ହୋଇସାରିଥିବାରୁ ଏବେ ତୁରନ୍ତ ନାମଲେଖା ପାଇଁ ନିର୍ଦ୍ଦେଶ ଦିଆଗଲେ ପୂର୍ବରୁ ନାମ ଲେଖାଇଥିବା ଜଣେ ଛାତ୍ରୀଙ୍କୁ ବାହାର କରିବାକୁ ପଡ଼ିବ। ଏହି ସ୍ଥିତିକୁ ଦୃଷ୍ଟିରେ ରଖି ହାଇକୋର୍ଟ ଏକ ବିକଳ୍ପ ବ୍ୟବସ୍ଥା କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଚଳିତ ବର୍ଷ ନଭେମ୍ବର ଶେଷ ସୁଦ୍ଧା ୩ ବର୍ଷିଆ ଏଲଏଲ୍.ବି. ପାଠ୍ୟକ୍ରମରେ କୌଣସି ସିଟ୍ ଖାଲି ହେଲେ ଆବେଦନକାରୀ ଛାତ୍ରୀଙ୍କୁ ନାମଲେଖା ପାଇଁ ସୁଯୋଗ ଦେବାକୁ ପଡ଼ିବ। ଯଦି ଏହି ସମୟ ମଧ୍ୟରେ କୌଣସି ସିଟ୍ ଖାଲି ନହୁଏ ଏବଂ ଛାତ୍ରୀଙ୍କୁ ନାମଲେଖାର ସୁଯୋଗ ମିଳିନଥାଏ, ତେବେ ତାଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ରହିଛି।

NLUO ପକ୍ଷରୁ ହୋଇଥିବା ତ୍ରୁଟି ପାଇଁ ଏହି କ୍ଷତିପୂରଣକୁ ପ୍ରତୀକାତ୍ମକ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ୍ ବି.ପି. ରାଉତରାୟ ଓ ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀ ଛାତ୍ରୀଙ୍କ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ଛାତ୍ରୀ ଓଡ଼ିଶା ଡୋମିସାଇଲ୍ ରିଜର୍ଭେସନ୍ ବର୍ଗରେ NLUOର ୩ ବର୍ଷିଆ ଏଲଏଲ୍.ବି. ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ କରିଥିଲେ। ତାଙ୍କୁ ଏଣ୍ଟ୍ରାନ୍ସ ପରୀକ୍ଷା ଦେବାକୁ ଅନୁମତି ମିଳିଥିଲା। ପରୀକ୍ଷାରେ ତାଙ୍କର ସର୍ବଭାରତୀୟ ର୍ୟାଙ୍କ ୬୧ ଏବଂ ଓଡ଼ିଶା ଡୋମିସାଇଲ୍ ରିଜର୍ଭେସନ୍ ର୍ୟାଙ୍କ ୬ ରହିଥିଲା।

ପରେ ତାଙ୍କୁ ପ୍ରୋଭିଜନାଲ୍ ନାମଲେଖା ସୁଯୋଗ ଦିଆଯାଇ କାଉନସେଲିଂ ପାଇଁ ଡକାଯାଇଥିଲା। ତେବେ କାଉନସେଲିଂ ସମୟରେ ତାଙ୍କୁ ଜଣାଇ ଦିଆଯାଇଥିଲା ଯେ ଓଡ଼ିଶା ଡୋମିସାଇଲ୍ ସଂରକ୍ଷିତ ବର୍ଗରେ ନାମଲେଖା ପାଇଁ ପ୍ରାର୍ଥୀ ଓଡ଼ିଶାରେ ଥିବା କୌଣସି ଶିକ୍ଷାନୁଷ୍ଠାନରୁ ସ୍ନାତକ ବା ସମତୁଲ ପରୀକ୍ଷା ପାସ୍ କରିଥିବା ଆବଶ୍ୟକ। ଏହି ନିର୍ଦ୍ଦେଶନାମା ଚଳିତ ବର୍ଷ ଆରମ୍ଭରୁ ରହିଥିବା କୁହାଯାଇଥିଲା। ଆବେଦନକାରୀ ଓଡ଼ିଶାର ବରଗଡ଼ ଜିଲ୍ଲାର ଏକ ସ୍କୁଲରୁ ଯୁକ୍ତ ଦୁଇ ପାସ୍ କରିବା ପରେ ଛତିଶଗଡ଼ର ରାୟପୁରସ୍ଥିତ ଏକ ବିଶ୍ବବିଦ୍ୟାଳୟରୁ ସ୍ନାତକ ଡିଗ୍ରି ହାସଲ କରିଥିଲେ। ଏହି କାରଣରୁ ତାଙ୍କୁ ୩ ବର୍ଷିଆ ଏଲଏଲ୍.ବି. ପାଠ୍ୟକ୍ରମରେ ନାମଲେଖା ସୁଯୋଗ ଦିଆଯାଇନଥିଲା।

ତେବେ ଛାତ୍ରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, NLUO ତାଙ୍କୁ ଆରମ୍ଭରୁ ଏଣ୍ଟ୍ରାନ୍ସ ପରୀକ୍ଷା ଦେବାକୁ ଅନୁମତି ଦେଇଥିଲା। ସେ ପରୀକ୍ଷାରେ ସଫଳ ହେବା ପରେ କାଉନସେଲିଂ ପୂର୍ବରୁ ନାମଲେଖା ଫି’ ଦାଖଲ କରିବାକୁ ମଧ୍ୟ ତାଙ୍କୁ ଅନୁମତି ମିଳିଥିଲା। ଏହି କାରଣରୁ ସେ ଅନ୍ୟ କୌଣସି ଅନୁଷ୍ଠାନରେ ନାମଲେଖା ପାଇଁ ପଦକ୍ଷେପ ନେଇନଥିଲେ। ଛାତ୍ରୀଙ୍କ ପକ୍ଷରୁ ଆହୁରି ଦର୍ଶାଯାଇଥିଲା ଯେ, ଏଥିରେ ତାଙ୍କର କୌଣସି ତ୍ରୁଟି ନଥିବାରୁ ତାଙ୍କୁ ନାମଲେଖାର ସୁଯୋଗ ମିଳିବା ଉଚିତ। ଏହାକୁ ନେଇ ହାଇକୋର୍ଟରେ ମାମଲା ଦାୟର ହୋଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦେବାଶିଷ ପଣ୍ଡା ମାମଲା ପରିଚାଳନା କରୁଥିଲେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial